Latest Odisha News

BREAKING NEWS

ନଦୀରେ ଗାଧୋଉଥିବା ବେଳେ ଅଘଟଣ: ଏକାସଙ୍ଗେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଅଞ୍ଚଳରେ ଶୋକାକୂଳ ପରିବେଶ 

ଯାଜପୁର: ଗୋଟିଏ ଘରୁ ଏକାସଙ୍ଗେ ଲିଭିଗଲା ଦୁଇଟି ଜୀବନ ଦୀପ । ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୨ ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ୨ ଭାଇ ଚିନ୍ତାପଲ୍ଲୀର କାହ୍ନୁଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଓ ସାନ ପୁଅ ଦିବାକର । ଦୀନବନ୍ଧୁଙ୍କ ବୟସ ୧୮ ହୋଇଥିବା ବେଳେ ଦିବାକରଙ୍କ ବୟସ ୧୬ ।

ଦୁଇ ଭାଇ ଆଜି ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ । କୌଣସି କାରଣରୁ ଉଭୟେ ନଦୀ ସ୍ରୋତରେ ଭାସି ଯାଇ ବୁଡ଼ି ଯାଇଥିଲେ । ସେଠାରେ ଗାଧୋଉଥିବା ଅନ୍ୟ କିଛି ଲୋକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସାନଭାଇକୁ ଉଦ୍ଧାର କରି ପ୍ରଥମେ ମଧୁବନ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । 

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ବଡ ଭାଇ ଦୀନବନ୍ଧୁର ମୃତଦେହ ଉଦ୍ଧାର କରି ମଧୁବନ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି । ଗୋଟିଏ ଘରୁ ଏକାସଙ୍ଗେ ଦୁଇ ପୁଅଙ୍କ ମୃତ୍ୟୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.