Latest Odisha News

BREAKING NEWS

ଗୋଟିଏ ବ୍ୟାଙ୍କରେ ଦୁଇ ଜଣ ସିଇଓ ? ପତିଆରା ଲଢେଇ ପାଇଁ ଚାଷୀ ହଇରାଣ ହେଉଛନ୍ତି କହିଲା ବିଜେପି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଦୁର୍ନୀତିର କଥା କହି ସରକାରକୁ ଘେରିଛି ବିଜେପି । ଏହି ବ୍ୟାଙ୍କରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଏହି ବ୍ୟାଙ୍କରେ ଦୁର୍ନୀତି ହୋଇଥିଲେ ମଧ୍ୟ ଶାସକ ଦଳର ବଡ ବଡିଆଙ୍କ ସଂପୃକ୍ତି ଥିବାରୁ ସତ୍ୟାସତ୍ୟ ସାମ୍ନାକୁ ଆସିପାରୁନି ବୋଲି ବିଜେପି କହିଛି । ଏଥିସହ ଏହି ବ୍ୟାଙ୍କର ସିଇଓ ସୁରେଶ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇ ନୂଆ ସିଇଓ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସୁରେଶ ଦାସଙ୍କର ଶାସକ ଦଳ ସହ ଭଲ ବୁଝାମଣା ପାଇଁ କାର୍ଯ୍ୟକାଳ ଶେଷ ହେବା ପରେ ବି ବ୍ୟାଙ୍କରେ ଆସି ପତିଆରା ଦେଖାଉଛନ୍ତି। ତେଣୁ ଏବେ ବ୍ୟାଙ୍କରେ ଦୁଇ ଜଣ ସିଇଓ ପତିଆରା ଦେଖାଉଥିବାରୁ ଚାଷୀ ହଇରାଣ ହେଉଛନ୍ତି ବୋଲି ବିଜେପି ଭୁବନେଶ୍ୱରରେ ପ୍ରେସମିଟ୍ କରି କହିଛି।

ବିଜେପି ସୁନ୍ଦରଗଡ ଜିଲ୍ଲା ସମବାୟ ବ୍ୟାଙ୍କ ସିଇଓ ସୁରେଶ ଦାସଙ୍କ ନିଯୁକ୍ତିର ଉଦାହରଣ ଦେଇ କହିଛି, ଏହି ନିଯୁକ୍ତ ପ୍ରଥମରୁ ବେଆଇନ ହୋଇଥିବା ସତ୍ୱେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏହି ବାଦୀୟ ସିଇଓଙ୍କ ଠାରୁ ଚାଷୀମାନେ ଠିକଣା ସମୟରେ କୃଷି ଋଣ ନପାଇ ନାନାଦି ହଇରାଣର ଶିକାର ହୋଇଛନ୍ତି । ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟ ଆଧାରରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଭବାନୀ ଶଂକର ମାଝୀ ଏବଂ ସିଇଓ ସୁରେଶ ଦାଶଙ୍କ ବିରୋଧରେ ୪କୋଟି ୫୬ ଲକ୍ଷ ଟଙ୍କା ହଡପ୍ ଘଟଣା ଧରାପଡିଛି । ଏହି ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବ୍ୟାଙ୍କ କର୍ମଚାରୀ ଓ ଅଡିଟ୍ ଅଧିକାରିଙ୍କୁ ଆକ୍ରୋଶମୁଳକ ଭାବେ ବଦଳି କରାଯାଇଛି। ଏପରିକି ଜଣେ ଦିବ୍ୟାଙ୍ଗ ବ୍ୟାଙ୍ଗ କର୍ମଚାରୀଙ୍କୁ ଆକ୍ରୋଶମୁଳକ ଭାବେ ସମବାୟ ନିର୍ବାଚନ ଚାଲୁଥିବା ସମୟରେ ମାଲକାନଗିରିକୁ ବଦଳି କରାଯାଇଛି ବୋଲି ବିଜେପି କହିଛି ।

ବିବାଦୀୟ ସିଇଓ ଶ୍ରୀ ଦାଶଙ୍କୁ ରିଲିଭ କରାଯାଇ ଗତ ୩୧ ଜାନୁଆରୀ ୨୦୨୨ରେ ରଂଜନ ପଟେଲଙ୍କୁ ନୂତନ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀ ଦାଶ ବର୍ତମାନ ସୁଦ୍ଧା ନିଜକୁ ସିଇଓ ବୋଲି ଦାବି କରି ବ୍ୟାଙ୍କ ପରଚାଳନା ଦାୟିତ୍ୱ ମାଡି ବସିବା କାରଣରୁ ବ୍ୟାଙ୍କରେ ଦୁଇ ଦୁଇଟି ସିଇଓ ରହିଛନ୍ତି । ଏହି କାରଣରୁ ଚାଷୀମାନେ ଦ୍ୱନ୍ଦର ଶିକାର ହୋଇ ହଇରାଣର ଶିକାର ହେଉଛନ୍ତି ।

ଶାସକ ବିଜେଡିର ପ୍ରତ୍ୟକ୍ଷ ହସ୍ତକ୍ଷେପ କାରଣରୁ ରାଜ୍ୟର ସମବାୟ ଆନ୍ଦୋଳନ ପ୍ରାୟତଃ ଧ୍ୱଂସ ହୋଇଯାଇଛି । ଜୋର ଜବରଦସ୍ତ, ଧମକଚମକ ଏବଂ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ସମବାୟ ସଂସ୍ଥାକୁ ହାତଉଥିବା କାରଣରୁ ମୁଳ ଉଦ୍ଦେଶ୍ୟରୁ ବାହାରି ଆସିଛି ରାଜ୍ୟ ସମବାୟ ବ୍ୟାଙ୍କ । ରାଜ୍ୟ ସରକାରଙ୍କ ପକ୍ଷପାତିତା ଏବଂ ତୃଟିପୂର୍ଣ୍ଣ ନିଷ୍ପତି କାରଣରୁ ରାଜ୍ୟର ସମସ୍ତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଂକ ଆଜି ଦୁର୍ନୀତିର ଗନ୍ତାଘର ସାଜିଛି । ଶାସକ ବିିଜେଡିର ସୁରକ୍ଷା ବଳୟ ଭିତରେ ଥିବା ଅପରାଧିତ୍ତତତ୍ୱମାନେ ଆଜି ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଏପରି ଅଭିଯୋଗ କରିଛି ବିରୋଧୀ ବିଜେପି।

ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଶ୍ରୀ ଦାଶ ଗତ କୃଷି ସେବା ସମବାୟ ସମିତିର ପ୍ରାଥମିକ ନିର୍ବାଚନରେ ଭାଗ ନେଇ ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି । ଏଭଳି ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ସିଇଓଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି ।

Comments are closed.