Latest Odisha News

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର, ୨ ଗୁରୁତର

ନୟାଗଡ଼: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର। ନୟାଗଡ଼ ଜିଲ୍ଲା ଭାପୁର ତହସିଲ ମୁଖ୍ୟ କିରାଣିଙ୍କ କ୍ବାର୍ଟର୍ସରେ ଅଗ୍ନିକାଣ୍ଡ। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇ ସିଲିଣ୍ଡର ବିସ୍ଫୋରଣ ଘଟିଥିବା କୁହାଯାଉଛି।

ସୂଚନା ଅନୁସାରେ, ଘରେ ଶୋଇଥିଲେ ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ଦାସ, ତାଙ୍କ ପତ୍ନୀ, ୩ ପିଲା ଏବଂ ମାଆ। ହଠାତ୍ ମାଆ ଶୋଇଥିବା ରୁମରେ ଥିବା ଫ୍ୟାନରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖି ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ସମସ୍ତେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।

ନିଆଁରେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ଉଡିଯାଇଥିଲା। ନିଆଁରେ କୈଳାଶ , ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ତେବେ ଏହି ଘଟଣାରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି। ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ଖବର ପାଇ ଭାପୁର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.