Latest Odisha News

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପ୍ଟେମ୍ବର ୨-୩ ତାରିଖ ଦୁଇ ଦିନବ୍ୟାପୀ ସୁରତର ଅର୍ନ୍ତଜାତୀୟ ପ୍ରଦର୍ଶନୀ ଓ ସମ୍ମେଳନୀ ଏଠାରେ ଅନୁଷ୍ଠିତ ହେଉଛି ।

ଓଡିଶାର ଗୈାରବମୟ ଲୋକକଳା, ସଂସ୍କୃତି, ପାରମ୍ପରିକ ଖାଦ୍ୟ ଏବଂ ନିଖୁଣ ହସ୍ତଶିଳ୍ପ ଓ ସୂକ୍ଷ୍ମ ହସ୍ତତନ୍ତ ବିଶ୍ୱ ଦରବାରରେ ପ୍ରଚାର, ପ୍ରସାର ଏବଂ ପ୍ରତିଫଳିତ କରିବା ନିମନ୍ତେ ନୂଆଦିଲ୍ଲୀ ସ୍ଥିତ ଅଗ୍ରଣୀ ଅଣ ଲାଭଦାୟକ ସଂସ୍ଥ । ଓଡିଆସମାଜ ପକ୍ଷରୁ ବିଗତ ଦିନର ସଫଳତାକୁ ପାଥେୟ କରି ଗୁଜୁରାଟର ହୀରକ ସହର ସୁରଟରେ ବସବାସ କରୁଥିବା ଲକ୍ଷ ଲକ୍ଷ ଓଡିଆ ତଥା ଅଣଓଡିଆମାନଙ୍କ ମଧ୍ୟରେ ଜାତିର ମହକ ଭରିଦେବା ନିମନ୍ତେ ଆଜି ସୁରଟଠାରେ ଆରମ୍ଭ ହୋଇଛି ଓଡିଶା ପର୍ବ । ସୁରଟର ଅର୍ନ୍ତଜାତୀୟ ପ୍ରଦର୍ଶନୀ ଓ ସମ୍ମେଳନ କେନ୍ଦ୍ର, ସରସାନା ଠାରେ ଉଦ୍ଘାଟିତ ହୋଇଥିବା ଓଡିଶା ପର୍ବ ସମାରୋହ ଆସନ୍ତାକାଲି ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଉଦଘାଟନୀ ସମାରୋହରେ ଗୁଜୁରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସମବେତ ଜନତାଙ୍କୁ କହିଥିଲେ ଯେ ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ସମସ୍ତ ଗୁଜୁରାଟବାସୀଙ୍କ ତରଫରୁ ଓଡିଶା ପର୍ବକୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ଗୁଜୁରାଟରେ ବସବାସ କରୁଥିବା ଓଡିଆମାନଙ୍କ ଉଦ୍ଦେଶ୍ୟରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡିଆ ଓ ଗୁଜୁରାଟ ବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୁତିକ, ରାଜନୈତିକ ସମ୍ପର୍କ ଅତି ନିବିଡ । ଆମ ଓଡିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଏ ଗୁଜୁରାଟର ସୁଡେରାରେ ସୂର୍ଯ୍ୟ ଅସ୍ତ ହୁଏ । ଓଡିଶାରେ ପୁରୀ ଧାମ, ଗୁଜୁରାଟର ଦ୍ୱାରିକାଧାମ ରହିଛି । ଗୁଜୁରାଟର ଅର୍ଥନୀତି ପରିବର୍ତନରେ ଓଡିଆ ମାନଙ୍କର ପ୍ରମୁଖ ଭୂମିକା ରହିଛି ।

ସୁରଟରେ ଅନୁଷ୍ଠିତ ଓଡିଆ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଜୁରାଟ ଓ ଓଡିଶାର ଭାବାବେଗ ସମ୍ପର୍କରେ ଏହି ଓଡିଆ ପର୍ବ ଆଜି ଆବେଗର ପର୍ବ । ସୁରଟରେ ଆଜି ଓଡିଆ ସଂସ୍କୁତି, ପରମ୍ପରା, ଶ୍ରୀ ଜଗନ୍ନାଥ ସଂସ୍କୁତିକୁ ପ୍ରତିଷ୍ଠା କରାଯାଇଥିବାରୁ ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀ ନୂଆ ଭାରତ କଳ୍ପନା କରିଛନ୍ତି । ଆମେ ନୂଆ ଓଡିଶା କଳ୍ପନା କରିଛୁ କା ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ଯଦି କିଏ ଆଗରେ ରହିବ ସେ ଓଡିଶା ଓ ଓଡିଆ ପରିଶ୍ରମୀ ଭାଇ ଓ ଭଉଣୀ ମାନେ ରହିବେ ।

ଆଜି ଆୟୋଜିତ ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଇଶ୍ୱର ପର୍ମାର, ରାଜ୍ୟମନ୍ତ୍ରୀ, ଶ୍ରୀ ଗଣପତ୍ ବସାୱା, ରାଜ୍ୟମନ୍ତ୍ରୀ, ଶ୍ରୀ ଜଗଦୀଶ୍ ପଟେଲ୍, ମେୟର, ଶ୍ରୀ ନିତିନ୍ ଭାଇ ଭଜିଆୱାଲା, ଶ୍ରୀ ସତିଶ୍ ଶର୍ମା, କମିସନର ପୋଲିସ୍, ଧବଲ ପଟେଲ୍, ଜିଲ୍ଲାପାଳ ଏବଂ ଓଡିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ଥିଲେ ।


ଏହି ପରିସଂହତିଭିତିକ ପର୍ବ ଆୟୋଜନର ଅଭିପ୍ରାୟ ସମ୍ବନ୍ଧରେ ଓଡିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ କହିଥିଲେ ଯେ, ଗୁଜୁରାଟର କୋଣ ଅନୁକୋଣରୁ ଆଜି ଏଠାକୁ ଆସିଥିବା ଦର୍ଶକମାନଙ୍କ ମନର ଉତ୍ସାହ ଦେଖି ମୁଁ ବେଶ୍ ଉତ୍ସାହିତ । ଏହି ପର୍ବ ଆୟୋଜନ ମାଧ୍ୟମରେ ଆମେ ଗୁଜୁରାଟବାସୀଙ୍କୁ ଓଡିଶାର ଗୈାରବମୟ ଲୋକକଳା ଓ ସଂସ୍କୃତି ସଂପର୍କରେ ଜାଣିବା ର ଅବସର ଦେଉଛୁ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜିନିଷ ଯେପରିକି ନିଖୁଣ ହସ୍ତଶିଳ୍ପଠୁ ନେଇ ସୂକ୍ଷ୍ମ ହସ୍ତତନ୍ତ, ପାରମ୍ପରିକ ଖାଦ୍ୟରେ ଓଡିଶାର ଉର୍ତ୍କଷତାର ଆଭାସ ମିଳିବ । ଦୁଇ ଦିନ ବ୍ୟାପୀ ହେଉଥିବା ଏହି ପର୍ବରେ ସମସ୍ତ ପ୍ରଦର୍ଶନୀ ଷ୍ଟଲ୍ ବୁଲି ଓଡିଶା ସଂପର୍କରେ ଜାଣିବା ପାଇଁ ସେ ଦର୍ଶକଙ୍କୁ ଅନୁରୋଧ କରିଥିଲେ ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସ୍ୱରୂପ ଏକ ଆଧ୍ୟାତ୍ମିକ ଭାବନାକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରବେଶ ପଥରେ ବିଶ୍ୱ ବିଖ୍ୟାତ ରଥଯାତ୍ରା ରେ ବ୍ୟବହୃତ ରଥର ପ୍ରତିକୃତି ଏଠାରେ ଏକ ସୁନ୍ଦର ନିଦର୍ଶନ ପ୍ରତିପାଦିତ ହୋଇଛି । ଏହା ଓଡିଆ ଜାତିର ନିଖୁଣ କଳାକୃତିକୁ ପରିସ୍ଫୁଟିତ କରିବା ସହ ଏକ ସପ୍ତରଙ୍ଗୀ ପରିବେଶ ସୃଷ୍ଟି କରୁଛି ।

ଓଡିଶାର ପ୍ରସିଦ୍ଧ କଳାକୃତି, ମୂର୍ତିକାର ଏବଂ ବସ୍ତ୍ରାକାର ମାନଙ୍କର ଏକ ବିଶ୍ୱପ୍ରସିଦ୍ଧ ଗନ୍ତାଘର । ପୁରସ୍କାର ପ୍ରାପ୍ତ ସ୍ଥପତି ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଢୋକରା ଅଳଙ୍କାର, ଚାନ୍ଦୁଆ, ପଥର ସ୍ଥପତି, ପଟ୍ଟଚିତ୍ର, କାଗଜମଣ୍ଡରୁ ପ୍ରସ୍ତୁତ ସାଜସଜ୍ଜା ଇତ୍ୟାଦିର ଜୀବନ୍ତ ପ୍ରସ୍ତୁତି ପ୍ରଣାଳୀ ସୁରତରେ ଥିବା ଓଡିଆ ଏବଂ ଅଣଓଡିଆ ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ମନଲୋଭା ପରିବେଶ ସୃଷ୍ଟି କରିଛି ସୁରଟ ମାଟିରେ । କୋଟପାଡ଼, ବରପାଲ୍ଲୀ, ବରଗଡ, ବ୍ରହ୍ମପୁର, ନୂଆପାଟଣା, କଟକର ତନ୍ତବୁଣାଶାଢୀ ଏବଂ କପଡା ସହିତ ଖୋର୍ଦ୍ଧା ଲୁଙ୍ଗି, ଗାମୁଛା ଓଡିଶାର ପାରମ୍ପରିକ ପରିପାଟୀକୁ ସମୃଦ୍ଧ କରିବା ସହ ଓଡିଶା ପର୍ବରେ ରେକର୍ଡ ସଂଖ୍ୟକ ବିକ୍ରି ନିମନ୍ତେ ଉପଲବ୍ଧ ହେଉଛି ।

ଓଡିଶାର ପାରମ୍ପରିକ ଲୋକକଳା, ଓଡିଶୀ, ଫ୍ୟୁଜନ, ସମକାଳୀନ ନୃତ୍ୟ ଓଡିଶା ପର୍ବରେ ଆୟୋଜିତ ନୃତ୍ୟ ଏବଂ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମରେ ସୁରତକୁ ଉତ୍ଫୁଲ୍ଲିତ କରିବ । କ୍ରିଷ୍ନା ବେଉରା, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ ଏବଂ ଦ୍ୱାରା ପରିବେଷଣ ହେବାକୁ ଥିବା ଆଧୁନିକ ସଙ୍ଗୀତ ଏବଂ ଅନ୍ୟାନ୍ୟ କଳାକୃତି ଦୁଇ ଦିନ ବ୍ୟାପୀ ସାଂସ୍କୃତିକ ସନ୍ଧ୍ୟାକୁ ବେଶ ରଙ୍ଗାରଙ୍ଗ କରିବ । ମସ୍କୋ, କାନାଡା, ତୁର୍କୀ ପରିବିକଶିତ ଦେଶରେ ଯୋଡିଶଙ୍ଖ ଏବଂ ରଣପା ନୃତ୍ୟ ମାଧ୍ୟମରେ ଓଡିଶାର ଗାଥାକୁ ବିଶ୍ୱ ଦରବାରରେ ଉତଥାପନ କରିଥିବା ଗଞ୍ଜାମ ଜିଲ୍ଲାର ଗଙ୍ଗେଶ୍ୱର ଯୁଗଳ ଶଙ୍ଖବାଦ୍ୟ ଅନୁଷ୍ଠାନ ତରଫରୁ ଚଳିତ ବର୍ଷ ସୁରତଠାରେ ଅନୁଷ୍ଠିତ ଓଡିଶା ପର୍ବରେ ଅନନ୍ୟ ଲୋକକଳା ପ୍ରଦର୍ଶିତ ହେବ ଯାହାକି ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବ । ପୁରାତନ ଶାସ୍ତ୍ରୀୟ ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ, ଗାହାଣଗାୟନ ଏବଂ ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ପରିଷଦ ପକ୍ଷରୁ ପ୍ରଦର୍ଶିତ ହେବାକୁ ଥିବା ମେଢ ନାଚ ସମଗ୍ର ହୀରକ ସହରକୁ ପ୍ରକମ୍ପିତ କରିବା ସହିତ ସମବେତ ଜନସାଧାରଣମାନଙ୍କ ମଧ୍ୟରେ ଭରିଦେବ ଏକ ଅପୂର୍ବ ପୁଲକ । ଦକ୍ଷିଣ ଓଡିଶାର ବୀରତ୍ୱର ପରାକାଷ୍ଠାକୁ ପରିଲକ୍ଷିତ କରିବେ ଅଗଣିତ ଜନତା । ଉଦଘାଟନୀ ଦିବସରେ ସୁରଟ ତଥା ଗୁଜୁରାଟର ଅନେକ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.