ରାଉରକେଲା : ଚାନ୍ଦିପୋଷ ଥାନା ନିକଟସ୍ଥ ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ଅପରାହ୍ନରେ ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଇଛି ସ୍କର୍ପିଓ। ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି।
ସୂଚନା ମୁତବକ, ଏକ ସ୍କର୍ପିଓରେ ୪ ଜଣ ସାଙ୍ଗ ବିପିନ୍ ସେଠୀ, ପବିତ୍ର ସାହୁ, ଶେଖ ରାମଜାନ ଓ ଆଦିତ୍ୟ ସାହୁ ରବିବାର ଥିବାରୁ ଅପରାହ୍ନରେ ଖଣ୍ଡାଧାର ଅଭିମୁଖେ ଯାଉଥିଲେ। ତେବେ ୧୪୩ ନମ୍ୱର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଫଳରେ ସମ୍ମୁଖରୁ ଆସୁଥିବା ହାଇୱାକୁ ଧକ୍କା ଦେଇଥିଲା ସ୍କର୍ପିଓ। ଘଟଣା ଏତେ ଭୟାନକ ଥିଲା କି, ସମସ୍ତେ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।
ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।
ତେବେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ବିପିନ୍ ସେଠୀଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପବିତ୍ର ସାହୁଙ୍କର ଚିକିତ୍ସା ଚାଲିଥିବା ବେଳେ ଶେଖ୍ ରାମଜାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜେପି ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
Comments are closed.