Latest Odisha News

ସାଙ୍ଗ ହୋଇ ଦୁଇ ସାଙ୍ଗ କାରରେ ବୁଲୁଥିଲେ, ସାଙ୍ଗ ହୋଇ ଚାଲିଗଲେ

ନୋଏଡ଼ା: ଶନିବାର ସକାଳେ ଦୁଇ ବନ୍ଧୁ, ଜଣେ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ସନ୍ଦେହ କରୁଛି ଯେ କାରର ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥାଇପାରେ, ଯାହା ଆପେ ଆପେ କବାଟ ବନ୍ଦ କରିଦେଇଥିଲା, ଫଳରେ କାରରେ ଥିବା ଲୋକମାନେ ସେଠାରୁ ଖସିନପାରି ପ୍ରାଣ ହରାଇଛନ୍ତି।

ସେକ୍ଟର ୧୧୯ରେ ହୋଇଥିବା ଏହି ଦୁର୍ଘଟଣା ବାବଦରେ ଆମ୍ରପାଲି ପ୍ଲାଟିନମର ମୁଖ୍ୟ ଫାଟକରେ ଜଣେ ସୁରକ୍ଷା କର୍ମୀ ଦେଖିଛନ୍ତି । ସେ କହିଛନ୍ତି,  ଏକ ଧଳା ସୁଇଫ୍ଟ ନିଆଁରେ ପୋଡି ଯାଇଥିବା ନେଇ ସକାଳ ୬ଟା ୨୫ ରେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ଚୌବେ କହିଛନ୍ତି, ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ପରେ ଆମେ ଭିତରୁ ଦୁଇଟି ଜଳାପୋଡ଼ା ମୃତଦେହ ଠାବ କରିଥିଲୁ। ଗାଜିଆବାଦ ରେଜିଷ୍ଟ୍ରେସନ ଥିବା କାରଟି ଆମ୍ରପାଲି ପ୍ଲାଟିନମରେ ରହୁଥିବା ସଫ୍ଟଓ୍ୱୟାର ଇଞ୍ଜିନିୟର ବିଜୟ ଚୌଧୁରୀ (୨୭)ଙ୍କର ଥିଲା। ତାଙ୍କ ସାଥୀ ଅନସ (୨୭) ସେକ୍ଟର ୫୩ରେ ରହୁଥିଲେ।

ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ ସକାଳ ୬ଟା ୮ ମିନିଟରେ କାରଟି ସୋସାଇଟି ପରିସରରେ ପ୍ରବେଶ କରିଥିଲା ଏବଂ ସେଠାରେ କିଛି ମିନିଟ୍ ରହିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା।

ଅତିରିକ୍ତ ପୁଲିସ ଡେପୁଟି କମିସନର ଶକ୍ତି ଅବସ୍ତି କହିଛନ୍ତି, ସକାଳ ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ରାସ୍ତାରେ ଲୋକଙ୍କ ସଂଖ୍ୟା କମ୍ ଥିଲା। ଶବ ବ୍ୟବଛେଦ ପାଇଁ ପଠାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଚୌଧୁରୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଯେ ସେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଉଛନ୍ତି। ସେ ଅନସଙ୍କୁ ବାଟରେ ସାଙ୍ଗରେ ନେଇଥିଲେ ଏବଂ ଶନିବାର ସକାଳୁ ଫେରିବା ବେଳେ ଆମ୍ରପାଲି ପ୍ଲାଟିନମ୍ ନିକଟରେ ଏପରି ଏକ ଦୁର୍ଘଟଣାର ସାମ୍ନା କରିଛନ୍ତି।

ଫରେନସିକ୍ ଓ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛନ୍ତି ବୋଲି ଏଡିସିପି ଅବସ୍ତି କହିଛନ୍ତି। ନିଆଁ ଲାଗିବାର କାରଣ ସମ୍ପର୍କରେ ଆମେ ସକ୍ରିୟ ଭାବେ ତଦନ୍ତ କରୁଛୁ। ଏଯାବତ୍ କୌଣସି ସ୍ପଷ୍ଚ କାରଣ ଜଣାପଡି ନାହିଁ ବୋଲି ସେ କହିଛନ୍ତି।

Comments are closed.