Latest Odisha News

BREAKING NEWS

ମା’ର ଗଳିତ ମୃତଦେହ ସହ ୧୦ ଦିନ କାଟିଲେ ୨ ଝିଅ

ହାଇଦ୍ରାବାଦ: ସହି ପାରିଲେନି ମା’ର ମୃତ୍ୟୁ । ଦୁଃଖରେ ଭାଙ୍ଗି ପଡିଲେ ଦୁଇ ଭଉଣୀ । ଜାଣି ପାରିଲେ ନାହିଁ କଣ କରିବେ କଣ ନାହିଁ । ଗଳିତ ମୃତଦେହ ସହ କଟିଲେ ୧୦ ଦିନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ । ମା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ି ମୃତଦେହ ପାଖରେ ରହିଲେ ୧୦ ଦିନ । କେବଳ ପାଣି ପିଇ ମୃତଦେହ ପାଖରେ ଜଗି ବସିଥିଲେ ୨ ଝିଅ । ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କର ବୟସ ୨୨ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୨୫ ବର୍ଷ । ୧୦ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି କଟାବ ଖୋଲିବାରୁ ସବୁ କଥା ଜଣା ପଡିଥିଲା । ତେବେ ମା’ଙ୍କ ଅଚାନକ ମୃତ୍ୟୁ କାରଣ ଜଣାପଡିନାହିଁ ।

ସୂଚନା ଅନୁସାରେ, ହାଇଦ୍ରାବାଦ ବୌଦ୍ଧନଗର ଅଞ୍ଚଳରେ କୌଣସି କାରଣ ବସତଃ ୪୫ ବର୍ଷୀୟା ମହିଳାଙ୍କର ଗତ ଜାନୁଆରୀ ୨୩ ତାରିଖରେ ମୃତ୍ୟୁ ହୋଇଥିଲା । ଶୋଇଥିବା ବେଳେ ତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ଦୁଇ ଝିଅ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ମା’ଙ୍କ ମୃତ୍ୟୁ ହୋଇଥିବା ଜାଣି ଦୁଇ ଝିଅଙ୍କ ପାଦ ତଳୁ ଯେପରି ମାଟି ଖସିଯାଇଥିଲା । ମା’ଙ୍କୁ ହରାଇ ଡିପ୍ରେସନର ଶିକାର ହୋଇଥିଲେ ଦୁଇ ଭଉଣୀ । ଶେଷରେ ବାହାରକୁ ଆସି କାହାକୁ କିଛି ଜଣାଇବା ବଦଳରେ ଶବ ସହିତ ଘର ଭିତରେ ୧୦ ଦିନ ବିତାଇଥିଲେ।

ତେବେ ଗତ ୩୧ ତାରିଖରେ ଘରୁ ଦୁର୍ଗନ୍ଧ ଆସିବାରୁ ସନ୍ଦେହ କରିଥିଲେ ପଡୋଶୀ । ଏନେଇ ସ୍ଥାନୀୟ ବିଧାୟକଙ୍କୁ ଖବର ଦେଇଥିଲେ । ବିଧାୟକ ଜଣଙ୍କ ଏନେଇ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିଥିଲା । ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ମହିଳାଙ୍କ ମୃତ ଶରୀରକୁ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବରୁ ଦୁଇ ଝିଅ ଏବଂ ସ୍ତ୍ରୀକୁ ଛାଡି କେଉଁ ଆଡେ ପଳାଇଥିଲେ ଉକ୍ତ ଦୁଇ ଝିଅଙ୍କ ବାପା । ଏପରିକି ତାଙ୍କର କେହି ବନ୍ଧୁ ପରିଜନ ମଧ୍ୟ ନାହାନ୍ତି। ସେମାନେ ୱାରାସିଗୁଡା ଅଞ୍ଚଳରେ ଭଡା ଘରେ ରହୁଥିଲେ ।

 

Comments are closed.