Latest Odisha News

ଗଞ୍ଜାମ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ; ଦୁଇ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ରାଳବ ଗ୍ରାମରେ ଚାଲିଥିବା ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ନକଲି ମଦ ଓ କଞ୍ଚାମାଲ ଜବତ କରାଯାଇଛି । ନକଲି ମଦ ପ୍ରସ୍ତୁତି ଓ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ବୟ ହେଲେ ବି. ସନ୍ତୋଷ ପାତ୍ର (୩୧) ଓ ଶିବାଶିଷ ଚୌଧୁରୀ(୩୨) ।

ପ୍ରକାଶଯୋଗ୍ୟ ଯେ, ଜଣେ ଯୁବକ ଏକ ସ୍କୁଟିରେ ନକଲି ମଦ ଧରି ଯାଉଥିବା ଖବର ମିଳିବା ପରେ ଅବକାରୀ ବିଭାଗର ଏକ ଟିମ ଟାମଣା ଛକରେ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ସନ୍ତୋଷର ସ୍କୁଟିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୧୨୯ଟି ନକଲି ବିଦେଶୀ ମଦ ବୋଲତ ମିଳିଥିଲା। ସନ୍ତୋଷ ପାତ୍ରଙ୍କୁ ଜେରା ବେଳେ ସେ ଏହି ନକଲି ମଦ କେ. ନୂଆଗାଁ ଥାନା ଅନ୍ତର୍ଗତ ଗୌଡଗାଁର ଶିବାଶିଷଙ୍କୁ ବିକ୍ରି କରିବା ପାଇଁ ନେଉଥିବା ସୂଚନା ଦେଇଥିଲା ।

ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ସେ ଏହି ମଦ ପ୍ରସ୍ତୁତି କରୁଥିବା ବିଭାଗୀୟ ଅଧୀକାରଙ୍କ ନିକଟରେ ସ୍ବୀକାର କରିଥିଲା । ଏହାପରେ ଅବକାରୀ ବିଭାଗର ଗୋଟିଏ ଟିମ ରାଳବ ଗ୍ରାମକୁ ଯାଇ ସେଠାରେ ସନ୍ତୋଷ ଚଳାଇଥିବା ନକଲି ବିଦେଶୀ ମଦ କାରଖାନାରେ ଚଢଉ କରିଥିଲା ।

ସେହିପରି ବିଭାଗର ଆଉ ଗୋଟିଏ ଟିମ ସନ୍ତୋଷଙ୍କୁ ଧରି ଗୌଡଗାଁ ଯାଇ ସେଠାରୁ ଶିବାଶିଷଙ୍କୁ ଗିରଫ କରିଥିଲା । ରାଳବ ସ୍ଥିତ ଏକ ଭଡା ଘରେ ଚାଲିଥିବା ନକଲି ମଦ କାରଖାନାରୁ ବିଭିନ୍ନ କମ୍ପାନୀର ନକଲି ବିଦେଶୀ ମଦ ବୋତଲ, ୪୫.୭୨୦ ଲିଟର ମଦ, ୧୦ ଲିଟର ସ୍ପିରିଟ, ୧ ଲିଟର କଲର ସ୍ପିରିଟ, ୫ ଲିଟର ଧଳା ସ୍ପିରିଟ, ୫ ଲିଟର ହୋମିଓପ୍ୟାଥିକ ସ୍ପିରିଟ, ୫୭୬ଟି ଅବକାରୀ ବିଭାଗର ନକଲି ଲେବେଲ, ୧୦୦୦ ଠିପି, ୫୦୦ ଖାଲି ବୋତଲ, ୧୩୦ମିଲି ଲିଟର ରାସାୟନିକ ଏସେନ୍ସ ଜବତ କରାଯାଇଥିଲା ।

ଏନେଇ କେସ ନଂ ୧୭/୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଅଦାଲତ ଚାଲାଣ କରାଯାଇଥିବା ଅବକାରୀ ଏସପି ରମେନ୍ଦ୍ର ନାରାୟଣ ନାୟକ ସୂଚନା ଦେଇଛନ୍ତି । ଏହି ଚଢଉରେ ଅବକାରୀ ଇନ୍ସପେକ୍ଟର ଅର୍ଜୁନ ମଲ୍ଲିକ, ଜିଲା ଷ୍ଟ୍ରାଇକିଂ ଇନ୍ସପେକ୍ଟର ମିହିର କୁମାର ସେଠୀ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Comments are closed.