Latest Odisha News

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ ଯବାନ ସହିଦ, ୪ ଗୁରୁତର

ରାୟପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଏହି ଘଟଣାରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି।

ବିସ୍ଫୋରଣରେ ଗୁରୁତର ଯବାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲୁଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ଘଟଣାସ୍ଥଳରେ ୨ ଯବାନ ଶହୀଦ ହୋଇଛନ୍ତି । ସେମାନେ ହେଲେ ଏସଟିଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ।

ଗତ ୩ରୁ ୪ ମାସ ହେଲା ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଅଧିକାଂଶ ସମୟରେ ନକ୍ସଲ ଓ ଯବାନ ମୁହାଁମୁହିଁ ହେଉଥିବା ବେଳେ ଏଥର କିନ୍ତୁ ମାଓବାଦୀ ଏପରି ନାରକୀୟ କାଣ୍ଡ ଘଟାଇବାରେ ସଫଳ ହୋଇଛନ୍ତି। ସୂଚନା ଥାଉକି ଗତକାଲି ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ମାଓ ଏନକାଉଣ୍ଟର ହୋଇଥିଲା। ଗଡ଼ଚିରୋଲି ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

Comments are closed.