Latest Odisha News

ରାଜଧାନୀ ପରେ ଗଂଜାମ ପାଳି, ୨ ସାମ୍ବାଦିକ ଗିରଫ ୧ ଫେରାର୍ !

ଗଂଜାମ: ପୁଣି ସାମ୍ବାଦିକତାରେ ଲାଗିଲା କଳଙ୍କର ଛିଟା । କିଛି ହାତଗଣତି ଭ୍ରଷ୍ଟ ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକତା ପେଶା । ଗତକାଲି ବଟି ଆଦାୟ ଭଳି ଅଭିଯୋଗରେ ରାଜଧାନୀରୁ ଗିରଫ ହୋଇଥଲେ ୫ ଜଣ ଆତ୍ମଘୋଷିତ ସାମ୍ବାଦିକ । ଏହି ଘଟଣାର ମାତ୍ର ଗୋଟିଏ ଦିନ ପରେ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଗଂଜାମ ଜିଲ୍ଲାର ୩ ସାମ୍ବାଦିକଙ୍କୁ ପୋଲିସ ଅଟକ ରଖିଥିଲା । ତାଜା ସୂଚନା ଅନୁସାରେ ୩ ଜଣଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଥିଲାବେଳେ ଜଣେ ଫେରାର ଅଛି ।

ରାଜଧାନୀରେ ଗିରଫ ହୋଇଥିବା ସାମ୍ବାଦିକମାନେ ଛୋଟମୋଟ ୱେବ୍ ପୋର୍ଟାଲ ନାଁରେ ଧମକ ଦେଇ ଦାଦାବଟି ଆଦାୟ କରୁଥିଲେ । ହେଲେ ଗଂଜାମ ବୁଗୁଡାର ସାମ୍ବାଦିକମାନେ କୌଣସି ଛୋଟମୋଟ ସଂସ୍ଥାରେ ସାମ୍ବାଦିକତା କରୁନଥିଲେ । ବରଂ ତିନୋଟି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧୀ ସାଜିଥିଲେ ।

ଗିରଫ ହୋଇଥିବା ସାମ୍ବାଦିକମାନେ ହେଲେ ଓଡିଶାର ୧ନମ୍ବର ଟିଭି ଚ୍ୟାନେଲର ଆଲୋକ ଗୌଡ ଓ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକ କାଳିଆ ଓରଫ ହର ପାଢୀ । ଅନ୍ୟପଟେ ଫେରାର ଅଛି ଏକ ନୂଆ ୱେବସାଇଟ୍‌ର ସାମ୍ବାଦିକ ମନୋଜ କୁମାର ଘଡେଇ ।

ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ । ଏପରିକି ୫୦ହଜାର ଟଙ୍କା ନଦଲେ ତାଙ୍କ ବିରୋଧରେ ନକରାତ୍ମକ ଖବର ପ୍ରସାରଣ ତଥା ଛାପିବାକୁ ଧମକ ବି ଦେଇଥିଲେ । ଏହି ଘଟଣାକୁ ନେଇ ବୁଗୁଡା ପୋଲିସ ୩୦୮/୨୦୨୦ରେ ଏକ ମାମଲା ରୁଜୁ କରିଛି । ଦଫା ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଆଇପିସି ଧାରା ଅନୁଯାୟୀ ୨ ଜଣଙ୍କୁ ଗିରଫ କରିଥିଲାବେଳେ ଅନ୍ୟ ଜଣକୁ ଧରିବା ଲାଗି ଧରପଗଡ ଆରମ୍ଭ କରିଛି ।

Leave A Reply

Your email address will not be published.