Latest Odisha News

BREAKING NEWS

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍ ଆଟେଣ୍ଡାଂଟ୍ ଯୈାନ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ଦେଖାଦେଇଛି ଭୟାବହ ସ୍ଥିତି । ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ସ୍କୁଲରେ ଆକ୍ରମଣ କରିଛନ୍ତି । ଟ୍ରେନ ଅଟକାଇଛନ୍ତି ।

ଦୁଇ ନାବାଳିକାଙ୍କୁ ସ୍କୁଲ୍ ଶୌଚାଳୟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇ ନାବାଳିକା  ଅଭିଭାବକଙ୍କୁ ଜଣାଇବା ପରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଛାତ୍ରୀଙ୍କୁ ଯୈାନ ନିର୍ଯାତନା ଦିଆଯାଇଥିବା ଜଣାପଡିଥିଲା । ଅଭିଯୋଗ ନାବାଳିକାଙ୍କ ମାଆବାପା ସ୍କୁଲ ଯାଇଥିବା ବେଳେ ସେମାନଙ୍କୁ ୩ ଘଂଟା କାଳ ଅପେକ୍ଷା କରାଇଥିଲେ ସ୍କୁଲ୍ କର୍ତ୍ତୃପକ୍ଷ । ପରେ ପୋଲିସ ଆସିଥିଲା ବୋଲି ଅଭିଯୋଗ ହୋଇଛି ।

ତାତିଲେ ଲୋକେ

ସ୍କୁଲରେ ସିସିଟିଭି କ୍ୟାମେରା ଥିଲେ ମଧ୍ୟ ତାହା କାମ କରୁନଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି । ଛାତ୍ରୀମାନଙ୍କ ଯତ୍ନ ପାଇଁ ସ୍କୁଲ ମ୍ୟାନେଜମେଂଟ୍ ମହିଳା ଷ୍ଟାଫ୍ ବି ରଖିନାହାନ୍ତି ବୋଲି ଜଣାପଡିଛି । ଘଟଣା ପରେ ସ୍କୁଲ ମ୍ୟାନେଜମେଂଟ୍ ପ୍ରିନସିପାଲ, କ୍ଲାସ ଟିଚର ଓ ଜଣେ ମହିଳା ଆଟେଣ୍ଡାଂଟଙ୍କୁ ନିଲମ୍ବନ କରିଛି । ପୀଡିତା ଛାତ୍ରୀଙ୍କ ବାପାମାଆ ଓ ସ୍ଥାନୀୟ ଲୋକେ ଘଟଣା ପ୍ରତିବାଦରେ ରେଳରୋକୋ କରିଥିଲେ । ଅଭିଯୁକ୍ତ ଆଟେଣ୍ଡାଂଟ୍ ଓ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ । ବିକ୍ଷୋଭକାରୀମାନେ ସ୍କୁଲ୍ ଭଙ୍ଗାରୁଜା କରିବା ସହ ରେଳଷ୍ଟେସନକୁ ଟେକା ପଥର ମଧ୍ୟ ଫୋପାଡିଥିଲେ । ଅଭିଯୁକ୍ତ ସ୍କୁଲ ଆଟେଣ୍ଡାଂଟକୁ ଗିରଫ କରାଯାଇଛି ।

ଆକସନ ମୋଡ୍‌ରେ ସିନ୍ଦେ ସରକାର

ଘଟଣାର ଗମ୍ଭୀରତାକୁ ଦେଖି ଆକସନ ମୋଡକୁ ଆସିଯାଇଛନ୍ତି ଏକନାଥ ସିନ୍ଦେ ସରକାର । ଅଭିଯୁକ୍ତ ବିରୋଧରେ ପକ୍ସୋ ଆକ୍ଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ସହ ମାମଲାର ଫାଷ୍ଟଟ୍ରାକ୍ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ବାପାମାଆଙ୍କ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗରେ ସ୍ଥାନୀୟ ଥାନାଧିକାରୀଙ୍କୁ ବଦଳି କରାଯାଇଛି । ମାମଲା ରୁଜୁରେ କାହିଁକି ଡେରି ହେଲା, ସେ ନେଇ ଶିକ୍ଷା ବିଭାଗ ଓ ପୋଲିସ ଅଲଗା ଅଲଗା ତଦନ୍ତ କରିବେ । ଏହାଛଡା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯିବ ।

ତଦନ୍ତ କରିବ ଏନସିପିସିଆର୍

ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ-ଏନସିପିସିଆର୍ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଥାନେ ପଠାଇବାକୁ ଘୋଷଣା କରିଛି । ଏତଲା ଦାୟରରେ ଡେରି ନେଇ ପ୍ରଶ୍ନ ଉଠାଇଛି ଏନସିପିସିଆର୍ । ଦୁଇ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଯୈାନ ନିର୍ଯାତନା ଭଳି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ନିିନ୍ଦନୀୟ ବୋଲି ଏନସିପିସିଆର୍ ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ କହିଛନ୍ତି ।

 

 

 

Comments are closed.