Latest Odisha News

BREAKING NEWS

ବେଟିଂ ଆପ୍ ମାମଲାରେ ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ଇଡି ସମନ…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ପଚରାଉଚରା ପାଇଁ ସମନ କରିଛି।

ତେବେ ଉଥପ୍ପାଙ୍କୁ ସେପ୍ଟେମ୍ବର ୨୨ରେ ଓ ଯୁବରାଜଙ୍କୁ ସେପ୍ଟେମ୍ବର ୨୩ରେ ଦିଲ୍ଲୀରେ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଏସିଆ କପ୍ ୨୦୨୫ରେ ଉଥପ୍ପା କମେଣ୍ଟ୍ରି ଟିମର ଅଂଶ ଭାବରେ ଅଛନ୍ତି।ତେବେ ବର୍ତ୍ତମାନ୍ ସୁଦ୍ଧା ଏହି ମାମଲାରେ ଚାରି ଜଣ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି।ଏଥିସହିତ ଫେଡେରାଲ୍ ଏଜେନ୍ସି ଏହି ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧୱନଙ୍କୁ ପଚରାଉଚରା କରିଥିଲା। ଏଥିରେ 1xBet ନାମକ ଏକ ବେଟିଂ ଆପ୍ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି।

ଏହି ଆପରେ କ୍ରିକେଟର ମାନଙ୍କର ଭୂମିକା ଏବଂ ସମ୍ପର୍କ ବିଷୟରେ ଇଡି ଜାଣିବାକୁ ଚାହୁଁଛି। ଯୁବରାଜ କିମ୍ବା ଉଥପ୍ପା ଏହି ଆପରେ ନିଜର ଛବି ବ୍ୟବହାର କରିବା ବଦଳରେ କୌଣସି ଦେୟ ନେଇଥିଲେ କି ନାହିଁ ଏହା ମଧ୍ୟ ତଦନ୍ତ କରାଯାଉଛି। ତେବେ ଏଥିରେ ସେମାନଙ୍କର କୌଣସି ଆର୍ଥିକ କିମ୍ବା ଅଣ-ଆର୍ଥିକ ସହଭାଗୀତା ରହିଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ସୋମବାର ଏହି ମାମଲାରେ ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ବୟାନ ମଧ୍ୟ ରେକର୍ଡ କରାଯିବା ସହ ମଙ୍ଗଳବାର ଦିନ ବଙ୍ଗଳା ଅଭିନେତା ଅଙ୍କୁଶ ହାଜରାଙ୍କର ଏହି ମାମଲାରେ ବୟାନ ରେକର୍ଡ କରାଯାଇଥିଲା।

ତେବେ ଏହି 1xBet ଆପର ଭାରତ ବ୍ରାଣ୍ଡ ଆମ୍ବାସାଡର ଥିବା ଅଭିନେତ୍ରୀ ଉର୍ବଶୀ ରାଉତେଲା ଏପର୍ଯ୍ୟନ୍ତ କୋର୍ଟରେ ହାଜର ହୋଇନଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ବେଟିଂ ଆପ୍ସ ବେଆଇନ ହେବା ସହ ଅନେକ ବଡ଼ ଧରଣର ମନି ଲଣ୍ଡରିଂ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି।ଏଥିରେ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଟଙ୍କା ଠକିବା ସହ ବିପୁଳ ପରିମାଣର ଟିକସ ଫାଙ୍କିଥିବାର ଅଭିଯୋଗ ହୋଇଛି।ତେଣୁ ଏସବୁକୁ ନେଇ ଇଡି କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିବା ସହ ଏହାର ବିଜ୍ଞାପନଗୁଡିକରେ ସାମିଲ ଥିବା ଫିଲ୍ମ ଷ୍ଟାର ଏବଂ କ୍ରିକେଟରମାନଙ୍କୁ ମଧ୍ୟ ଜେରା କରୁଛି।

 

Comments are closed.