Latest Odisha News

BREAKING NEWS

ଓଡ଼ିଶାରେ ଦୁଇଟି ନୂଆ ଟ୍ରେନର ଶୁଭାରମ୍ଭ, ଭଦ୍ରକକୁ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ବୈଷ୍ଣବ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ଦୁଇଟି ଟ୍ରେନର ଆଜି ଶୁଭାରମ୍ଭ ହୋଇଛି। ସେହିପରି ଭଦ୍ରକ ମେମୁ ଟ୍ରେନ ପୁଣିଥରେ ଗଡ଼ିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ କହିଛନ୍ତି, ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଅଶ୍ୱିନୀ ବୈଷ୍ଣବ କହିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶରେ ଆଧୁନିକ ଭିତ୍ତିଭୂମି ଏବଂ ସୁବିଧା ସହିତ ଅନେକ ଯାତ୍ରୀ ପାରିସେବା ରହିବ। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ରହିଛି ବୋଲି ବୈଷ୍ଣବ କହିଛନ୍ତି। ଭୁବନେଶ୍ୱରରେ ଏହି ଅବସରରେ ପୁରୀ-ଜଳେଶ୍ୱର ପାସେଞ୍ଜର ଟ୍ରେନର ଶୁଭାରମ୍ଭ ହୋଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଟ୍ରେନଟି ଗଡିଛି। ଯାହା ଜାନୁଆରୀ ୧ରୁ ଗଡିବ ବୋଲି ସୂଚନା ରହିଛି। ଏହି ଟ୍ରେନ ସମସ୍ତ ଷ୍ଟେସନରେ ରହିବ ବୋଲି ସୂଚନା ରହିଛି। ସେହିପରି ଭଦ୍ରକ ପାଇଁ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରେଳମନ୍ତ୍ରୀ। ସକାଳେ ଧାମନଗର ବିଧାୟକ ଏ ନେଇ ଦାବି କରିବାର ଦୁଇ ଘଣ୍ଟା ମଧ୍ୟରେ ଏହି ଘୋଷଣା କରିଛନ୍ତି ରେଳମନ୍ତ୍ରୀ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟେସନ ଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଅନୁଗୁଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପରେ, ଅନୁଗୁଳ ଲୋକୋ ସେଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ ତିନି କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିଥିଲେ। ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ। ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇପାରିବ।

Comments are closed.