ମୁମ୍ବାଇ: ସାଂଘାତିକ ଷଡଯନ୍ତ୍ର । ଗୋଟିଏ ପରେ ଗୋଟିଏ କରି ପରିବାରର ୫ ସଦସ୍ୟଙ୍କ ଜୀବନ ଗଲା । ହେଲେ ପୋଲିସର ସନ୍ଦେହ ଘେରକୁ ଟିକିଏ ବି ଆସିଲେନି । ହେଲେ ଡାକ୍ତରଙ୍କ ମନକୁ ସନ୍ଦେହ ଆସିଲା । ଡାକ୍ତରଙ୍କ କଥା ଶୁଣି ପୋଲିସର ମୁଣ୍ଡ ବି ଗୋଲ ହୋଇଗଲା । କେଉଁଠୁ ଆରମ୍ଭ କରିବ ତଦନ୍ତ, କାହାକୁ କରିବ ଜେରା ? କିଛି ଜାଣି ପାରିଲାନି । ଶେଷରେ ଯେଉଁ ସତ୍ୟ ସାମ୍ନାକୁ ଆସିଲା ତାହା ସମସ୍ତଙ୍କ ମୁଣ୍ଡ ଘୁରିଗଲା ।
ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରୁ ଆସିଛି ଏଇ ହୃଦୟ ଥରାଇ ଦେବା ପରି ଘଟଣା । ୨୦ ଦିନ ବ୍ୟବଧାନରେ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଗୋଟିଏ ଲକ୍ଷଣ । ଶରୀରରେ ଭୟଙ୍କର ଯନ୍ତ୍ରଣା । କଥା କହିବା କଷ୍ଟ ହେଉଛି । ଓଠ କଳା ପଡିଯାଉଛି । ଏପରି ମୃତ୍ୟୁ ଘଟଣା ପୋଲିସର ତ ହୋଶ ଉଡାଇ ଦେଇଥିଲା । ପୋଲିସ ଏକ ଟିମ କରି ଝାରଖଣ୍ଡରୁ ଆରମ୍ଭ କରି ତେଲେଙ୍ଗାନା ଯାଏ ନିଜ ନେଟ ୱର୍କକୁ ଆକ୍ଟିଭ କରିଥିଲା । ଏହା ପରେଯେଉଁ ସତ୍ୟ ସାମ୍ନାକୁ ଆସିଥିଲା ତାହା ସହଜରେ ବିଶ୍ୱାସଯୋଗ୍ୟ ନ ଥିଲା ।
ଜିଲ୍ଲାର ଅହେରି ତହସିଲର ମହାଗାବ ଇଲାକାରେ ଶଙ୍କର ପୀରୁ କୁମ୍ଭାର ନିଜ ପରିବାର ସହ ରହୁଥିଲେ । ପରିବାରର ୪ ସଦସ୍ୟଙ୍କ ନିଜେ ଶଙ୍କର ରୋଗରେ ପଡିଲେ । ସେପ୍ଟମ୍ବର ୨୦ରେ ଶଙ୍କର ଏବଂ ତାଙ୍କ ପତ୍ନୀ ବିଜୟା କୁମ୍ଭାରଙ୍କ ଅବସ୍ଥା ଗୁରୁତର ହୋଇ ପଡିଲା । ଉଭୟଙ୍କୁ ପ୍ରଥମେ ଅହେରି ଡାକ୍ତରଖାନାରେ ଭର୍ତ୍ତି କରାଗଲା । ପରେ ଚନ୍ଦ୍ରପୁର ପଠାଗଲା । ସେଠାରେ ମଧ୍ୟ କିଛି ପରିବର୍ତ୍ତନ ହେଲା ନାହିଁ । ଉଭୟଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଗଲା । ହେଲେ ସେପ୍ଟେମ୍ବର ୨୬ ତାରିଖରେ ଶଙ୍କରଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୭ ତାରିଖରେ ପତ୍ନୀ ବିଜୟା ଆଖି ବୁଜିଥିଲେ ।
ବାପ-ମାଙ୍କ ମୃତ୍ୟୁ ପରେ ଝିଅ ଗଭୀର ଦୁଃଖରେ ଥିଲେ । ଏହି ସମୟରେ ଖବର ଆସିଲା ଗଡଅହେରିରେ ରହୁଥିବା ଶଙ୍କରଙ୍କ ଝିଅ କୋମଳ ଦହାଗାଓଁକର ଏବଂ ପୁଅ ରୋଶନ ଶଙ୍କରଙ୍କ ଦେହ ଖରାପ । ଏଥିସହିତ ଶଙ୍କରଙ୍କ ଶାଳୀ ଆନନ୍ଦା ଓରଫ ବର୍ଷାଙ୍କର ମଧ୍ୟ ଦେହ ଖରାପ । ତିନିଜଣଙ୍କୁ ଭିନ୍ନଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।ହେଲେ ଅକ୍ଟୋବର ୮ ତାରିଖରେ କୋମଳଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଲା । ଅକ୍ଟୋବର୧୪ ତାରିଖରେ ଶଙ୍କରଙ୍କ ଶାଳୀ ଆନନ୍ଦା ଏବଂ ତା ପର ଦିନ ଶଙ୍କରଙ୍କ ପୁଅ ରୋଶନଙ୍କର ମୃତ୍ୟୁ ଘଟିଲା ।
ଶଙ୍କରଙ୍କ ବଡ ପୁଅ ସାଗର ଦିଲ୍ଲୀରେ କାମ କରନ୍ତି ଓ ସେଠାରେ ରୁହନ୍ତି । ଏହି ଖବର ପାଇ ସେ ଚନ୍ଦ୍ରପୁର ଆସିଥିଲେ । ଏଠାକୁ ଆସିବା ପରେ ପରେ ତାଙ୍କର ଦେହ ମଧ୍ୟ ହଠାତ ଖରାପ ହୋଇ ପଡିଲା । ତାଙ୍କୁ ତୁରନ୍ତ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ସେତିକି ନୁହେଁ, ଶଙ୍କର ଏବଂ ପତ୍ନୀଙ୍କୁ ଡାକ୍ତରାଖାନା ନେଇ ଯାଇଥିବା ରାକେଶ ମଡାବୀଙ୍କର ଦେହ ଖରାପ ହୋଇଥିଲା ଏବଂ ଶଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର ଦିନକ ପରେ ତାଙ୍କୁ ବି ଭର୍ତ୍ତି କରାଯାଇଥିଲା । ଏହାପରେ ଆନନ୍ଦାଙ୍କର ପୁଅ ଚନ୍ଦ୍ରପୁର ଏବଂ ନାଗପୁର ଆସିଥିଲେ । ପରେ ପରେ ତାଙ୍କର ମଧ୍ୟ ଦେହ ଅସୁସ୍ଥ ହୋଇଥିଲା ।
୫ଜଣଙ୍କର ମୃତ୍ୟୁ ଏବଂ ୩ ଜଣ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡାକ୍ତର ଦେଖିଲେ, ସମସ୍ତଙ୍କ ଶରୀରରେ ଗୋଟିଏ ଲକ୍ଷଣ ରହିଛି । ଏ ସମସ୍ତଙ୍କୁ କୌଣସି ପ୍ରକାର ବିଷ ଦିଆ ଯାଇଥିବା ଡାକ୍ତର ପ୍ରଥମେ ଅନୁମାନ କଲେ । ପ୍ରାଥମିକ ଅବସ୍ଥାରେ ଡାକ୍ତରମାନେ ବି ଧରି ପାରି ନ ଥିଲେ । ପରେ ଜାଣିବାକୁ ପାଇଥିଲେ ସେମାନଙ୍କୁ ଆର୍ସେନିକ ବିଷ ଦିଆଯାଇଛି ଯାହା ରଙ୍ଗହୀନ ଏବଂ ଗନ୍ଧହୀନ ଅଟେ ।
ଏହାପରେ ପୋଲିସ ମାମଲାରେ ହସ୍ତକ୍ଷେପ କରିଥିଲା । ପୋଲିସ ଝାରଖଣ୍ଡ ସମେତ ମହାରାଷ୍ଟ୍ର,ତେଲେଙ୍ଗାନା ଆଦି ରାଜ୍ୟରେ ନିଜ ଗୁପ୍ତଚର ତଥ୍ୟ ସଂଗ୍ରହ କରିଥିଲା ।ପରେ ଜାଣିବାକୁ ପାଇଥିଲା ଶଙ୍କର କୁମ୍ଭାରଙ୍କ ବୋହୂ ସଂଘମିତ୍ରା ଏବଂ ଶଙ୍କରଙ୍କ ଶଳାଙ୍କ ପତ୍ନୀ ରୋଜା ରାମଟେକେ ଏହି ଘଟଣାର ମୁଖ୍ୟ ଅଭିଯୁ୍କ୍ତ । ସେମାନେ ମଧ୍ୟ ନିଜ ଭୁଲ ସ୍ୱୀକାର କରିଛନ୍ତି ।
ସଂଘମିତ୍ରାଙ୍କ କହିବା ଅନୁଯାୟୀ ସେ ରୋଶନଙ୍କୁ ପ୍ରେମ ବିବାହ କରିଥିଲେ ।ଏହି ବାହାଘରରେ ତାଙ୍କ ପରିବାର ଲୋକ ରାଜି ନ ଥିଲେ । ତେଣୁ ବିବାହ ପରେ ତାଙ୍କ ବାପା ଆତ୍ମହତ୍ୟା କରି ଦେଇଥିଲେ ।ଏହାକୁ ନେଇ ରୋଶନ ଏପରିକି ଶ୍ୱଶୁର ଘର ଲୋକେ ତାଙ୍କୁ ତାନା ମାରୁଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସେ ଏପରି କାଣ୍ଡ କରିଛନ୍ତି।
ଖାଦ୍ୟ ଏବଂ ପାଣିରେ ବିଷ ଗୋଳାଇ ସେ ସମସ୍ତଙ୍କୁ ଦେଉଥିଲେ । ଏଥିରେ ରୋଜା ରାମଟେକ ତାଙ୍କୁ ବିଷ ଆଣି ଦେଉଥିଲେ । ଏହି ବିଷ ପେଟକୁ ଯିବା ପରେ ପ୍ରଥମେ ଶରୀର ଅସୁସ୍ଥ ହେବା ପରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବ । ପୋଲିସର କହିବା ଅନୁଯାୟୀ, ଶଙ୍କର ଏବଂ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନା ନେଇ ଯାଇଥିବା ରାକେଶ ମଡାବୀ ଶଙ୍କରଙ୍କ ବୋତଲରୁ ପାଣି ପିଇଥିଲେ । ଏହାର ପରଦିନ ତାଙ୍କ ଦେହ ଖରାପ ହୋଇଥିଲା । ପୋଲିସ ଉଭୟଙ୍କୁଗିରଫ କରିଛି ।
Comments are closed.