Latest Odisha News

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଯୋଗୁ ସାରା ବିଶ୍ୱରେ ବଢ଼ିବ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ । ଭୁବନେଶ୍ୱର, ଗୋଆ ଏବଂ ନାଭି ମୁମ୍ବାଇରେ ଏହା ଆୟୋଜିତ ହେବ । ବିଶ୍ୱକପର ୭ମ ସଂସ୍କରଣକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ନେଇ ସମସ୍ତ ଉଦ୍ୟମ ହେଉଛି । ଏହା ଦ୍ୱାରା ସାରା ବିଶ୍ୱରେ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ ନିଶ୍ଚିତ ଭାବେ ବଢ଼ିବ । ୨୦୦୮ରେ ନ୍ୟୁଜିଲାଣ୍ଡରେ ଏହାର ପ୍ରଥମ ସଂସ୍କରଣ ଆୟୋଜନ ହୋଇଥିଲା । ଏହା ପରେ ୨୦୧୬ରେ ପ୍ରଥମ ଥର ପାଇଁ ଏସିଆ ମହାଦେଶରେ ଏହା ଅନୁଷ୍ଠିତ ହୋଇଥିଲା । ଜୋର୍ଡାନ ଏହାକୁ ସଫଳତାର ସହ ଆୟୋଜନ କରିଥିଲା । ବିଭିନ୍ନ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ମାଧ୍ୟମରେ ୧୬ ଦେଶ ଏଥିପାଇଁ କ୍ୱାଲିଫାଇ କରିଥିବା ବେଳେ ଆୟୋଜକ ଭାବେ ଭାରତକୁ ସୁଯୋଗ ମିଳିଛି । କୋନକାକାଫ ଚାମ୍ପିୟନ ଆମେରିକାକୁ ଏଠାରେ ମଧ୍ୟ ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଛି । ଉତର ଆମେରିକାରୁ କାନାଡା, ମେକ୍ସିକୋ ଏବଂ ଆଫ୍ରିକାରୁ ନାଇଜେରିଆ, ମରୋକ୍କୋ ଓ ତାଞ୍ଜାନିଆ ଏବଂ ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟରୁ ଫ୍ରାନ୍ସ, ଜର୍ମାନୀ, ସ୍ପେନ ସୁଯୋଗ ପାଇଛନ୍ତି । ସେହିପରି ଓସେନିଆରୁ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆମେରିକାରୁ ବ୍ରାଜିଲ, ଚିଲି ଓ କଲମ୍ବିଆ ଏହି ମେଗା ଇଭେଂଟ ପାଇଁ ଟିକେଟ କାଟିଛନ୍ତି ।

୧୬ ଦେଶକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପର ପ୍ରଥମ ୨ଟି ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହା ଆୟୋଜିତ ହେଉଥିବାରୁ ଏହାର କାୟାକଳ୍ପ ବଦଳିବା ଏକପ୍ରକାର ସୁବର୍ଣ୍ଣ ସୁଯୋଗ । ମୂଖ୍ୟ ପଡିଆ ସହ ଅଭ୍ୟାସ ପାଇଁ ଆନ୍ତର୍ଜାତୀୟସ୍ତରର ବନ୍ଦୋବସ୍ତ କରାଯାଇଛି । ଏହା ଦ୍ୱାରା ଓଡିଶା ଏବଂ ଭାରତୀୟ ଫୁଟବଲର ବିକାଶ ଘଟିବ ବୋଲି ଆଶା କରାଯାଉଛି । ଏଫଆଇଏଚ ହକି ବିଶ୍ୱକପ ୨ଥର ଓ ଏବେ ଫୁଟବଲ ବିଶ୍ୱକପ ଆୟୋଜନ କରି ଭୁବନେଶ୍ୱର ନିଜର ସ୍ୱତନ୍ତ୍ର ଛାପ ଛାଡିବ ବୋଲି ଆଶା କରାଯାଉଛି । ଓଡିଶା ସରକାର ଭୁବନେଶ୍ୱରକୁ କ୍ରୀଡା ହବ କରିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହେଉଛି । ଓଡିଶାର ଯୁବ ପିଢ଼ୀ କ୍ରୀଡା ପ୍ରତି ମୁହାଁଇଲେ ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ନିଃସନ୍ଦେହ ଭଲ ସଫଳତା ମିଳିବ ।

Comments are closed.