Latest Odisha News

BREAKING NEWS

ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ପେଣ୍ଟାଗନ୍ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁସାରେ ଏଇ ସପ୍ତାହ ଶେଷ ସୁଦ୍ଧା ଆମେରିକା ବଡ଼ ନିଷ୍ପତ୍ତି ନେଇପାରେ।

ଆମେରିକାର ସାମରିକ ଶକ୍ତି ଏବେ ଇରାନକୁ ଘେରିବା ପାଇଁ ସଜବାଜ ହୋଇସାରିଛି। ବିଶ୍ୱର ସବୁଠାରୁ ବଡ଼ ଯୁଦ୍ଧ ଜାହାଜ USS Gerald R. Ford ଏବଂ USS Abraham Lincoln ଏବେ ଇରାନ ଅଭିମୁଖେ ବାହାରିଛନ୍ତି। ଏହା ସହିତ ୫୦ରୁ ଅଧିକ ଅତ୍ୟାଧୁନିକ ଲଢୁଆ ବିମାନ, ରିଫ୍ୟୁଏଲିଂ ଟ୍ୟାଙ୍କର ଏବଂ ପାଟ୍ରିଅଟ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି।

ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ନିର୍ମାଣ କରିବାକୁ ଦିଆଯିବ ନାହିଁ। ଯଦିଓ ଜେନେଭାରେ କୂଟନୈତିକ ଆଲୋଚନା ଜାରି ରହିଛି କିନ୍ତୁ ଆମେରିକା ପ୍ରଶାସନ ଏହି ଆଲୋଚନାର ସଫଳତା ନେଇ ସନ୍ଦେହ ପ୍ରକାଶ କରିଛି। ଅନ୍ୟପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଇରାନର ମିସାଇଲ୍ କ୍ଷମତାକୁ ନଷ୍ଟ କରିବା ପାଇଁ ଆମେରିକା ଉପରେ ଚାପ ପକାଉଛନ୍ତି।

ଯଦି ଯୁଦ୍ଧ ହୁଏ ତେବେ ଏହା କେବଳ ଇରାନ ନୁହେଁ ବରଂ ସାରା ବିଶ୍ୱର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ। ଇରାନ ମଧ୍ୟ ପାଲଟା ଜବାବ ଦେବାକୁ ଧମକ ଦେଇଛି।

 

 

Leave A Reply

Your email address will not be published.