Latest Odisha News

ଦେଶରେ ୨୦ଟି ବିଶ୍ୱବିଦ୍ୟାଳୟ ନକଲି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚେତାଇଲା ୟୁଜିସି

ନୂଆଦିଲ୍ଲୀ: ନକଲି ଜିନିଷ ବିକ୍ରି ହେବା ପରେ ଏବେ ଶିକ୍ଷା ବ୍ୟବସ୍ଥା ମଧ୍ୟ ନକଲି ହେଲାଣି। ପ୍ରାୟତଃ ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରାଯାଉଥିବା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଏହି ନକଲି ଜିନିଷଗୁଡ଼ିକ ସହିତ ଯୋଡ଼ି ହୋଇଯାଇଛି ଶିକ୍ଷାନୁଷ୍ଠାନ। ନକଲି ବିଶ୍ୱବିଦ୍ୟାଳୟ ଖୋଲାଯାଇ ପିଲାମାନଙ୍କ ଭବିଷ୍ୟତକୁ ନେଇ ସଉଦା କରାଯାଉଛି। ସାରା ଦେଶରେ ୨୦ଟି ନକଲି ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ଏନେଇ ୟୁଜିସି ପକ୍ଷରୁ ଏକ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେଥିରେ ୨୦ଟି ଯାକ ନକଲି ବିଶ୍ୱବିଦ୍ୟାଳୟର ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ୟୁଜିସି। ସବୁଠାରୁ ବଡ଼ କଥା ହେଲା ଏହି ଏହି ତାଲିକାରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ରାଜଧାନୀ ଦିଲ୍ଲୀରେ ଗଢିଉଠିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶରେ ସୃଷ୍ଟି ହୋଇଛି ଫେକ ୟୁନିଭର୍ସିଟି। ତେବେ ଏହି ତାଲିକାରେ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ସାମିଲ ନାହିଁ। ଅର୍ଥାତ୍ ଓଡ଼ିଶାରେ ଗୋଟିଏ ବି ନକଲି ବିଶ୍ୱବିଦ୍ୟାଳୟ ନାହିଁ ।

ଏହି ବିଶ୍ୱବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କୁ କୌଣସି ଡିଗ୍ରୀ ଦେଇପାରିବ ନାହିଁ ବୋଲି ୟୁଜିସି କହିଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏଦିଗରେ ସଚେତନ ହୋଇ ରାଜ୍ୟ କିମ୍ବା କେନ୍ଦ୍ର ଅଧିନିୟମ ଅନୁଯାୟୀ ମାନ୍ୟପ୍ରାପ୍ତ ବିଶ୍ୱବିଦ୍ୟଳୟକୁ ବାଛିବା ପାଇଁ ୟୁଜିସି ପକ୍ଷରୁ ସଚେତନ କରାଯାଇଛି। ଏହି ସମ୍ପର୍କରେ ୟୁଜିସି ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।

Comments are closed.