Latest Odisha News

BREAKING NEWS

ଅପେକ୍ଷାରେ ବିତିଗଲା ୨୦ ବର୍ଷ; ମିଳିଲାନି ବର, ନିଜେ ନିଜକୁ ବାହା ହେଲେ ଯୁବତୀ

ଲଣ୍ଡନ୍‌: ଆଜିକାଲି ବିବାହ ପାଇଁ ଉପଯୁକ୍ତ ସାଥୀଟିଏ ମିଳିବା କଷ୍ଟକର ହୋଇପଡ଼ୁଛି । ସେ ପୁଅ ହୁଅନ୍ତୁ ବା ଝିଅ, ବିବାହ ପାଇଁ ସମସ୍ତଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏବେ ଲଣ୍ଡନର ଜଣେ ମହିଳା ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷା କରି ଉପଯୁକ୍ତ ପାତ୍ର ନ ପାଇବାରୁ ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି ।

ସାରା ୱିଲ୍‌କିନ୍‌ସନ୍ ନାମ୍ନୀ ଜଣେ ମହିଳା ଲଣ୍ଡନରେ ରୁହନ୍ତି । ଏବେ ସେ ୪୨ ବର୍ଷ ବୟସରେ ନିଆରା ଢଙ୍ଗରେ ବିବାହ କରିଛନ୍ତି, ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ଆଦର୍ଶ ବିବାହ କରିବାକୁ ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷା କରିଥିଲେ । ହେଲେ ଉପଯୁକ୍ତ ପାତ୍ର ନ ମିଳିବାରୁ ଶେଷରେ ନିଜେ ନିଜକୁ ବିବାହ କରିଛନ୍ତି । ନିଜ ବିବାହ କିପରି ଧୁମ୍‌ଧାମ୍‌ରେ ଓ ସୁୁରୁଖୁରୁରେ ହେବ ସେନେଇ ବହୁ ମାସ ଆଗରୁ ପ୍ରସ୍ତୁତି ଚଳାଇଥିଲେ । ନିଜ ପାଇଁ ହୀରାର ମୁଦି ବି କିଣିଥିଲେ । ସଫୋକ୍ ଅନ୍ତର୍ଗତ ଫିଲିକ୍ସଟୱେରେ ଥିବା ହାର୍ଭେଷ୍ଟ୍ ହାଉସ୍‌ରେ ବିବାହ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରିଥିଲେ । ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ୱିଲ୍‌କିନ୍‌ସନ୍ ନିଜକୁ ନିଜେ ବିବାହ କରିଥିଲେ ।

କ୍ରେଡିଟ୍ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିବା ସାରା ୱିଲ୍‌କିନ୍‌ସନ୍ କହିଛନ୍ତି ଯେ, ମୋ ଉପରେ ସମସ୍ତଙ୍କର ନଜର ଥିବାରୁ ଏହି ଦିନଟି ଥିଲା ମୋ ପାଇଁ ଚମତ୍କାର । ଏଇଟା ଔପଚାରିକ ବିବାହ ଅନୁଷ୍ଠାନ ନ ଥିଲା । କିନ୍ତୁ, ମୁଁ ମୋ ବାହାଘର ଉତ୍ସବ ପାଳନ କଲି । ମୋର ମନେହୁଏ ଆପଣ ଭାବୁଥିବେ ମୋ ପାଖରେ ମୋର ବର ଉପସ୍ଥିତ ନ ଥିଲେ । ନ ଥା’ନ୍ତୁ । ମୋ ବାହାଘର ପାଇଁ ଟଙ୍କା ସଞ୍ଚିତ ଥିଲା । ଯଦି ବାହାଘର ପାଇଁ ସେ ଟଙ୍କା ଥିଲା ତେବେ ସେ ଅର୍ଥକୁ ଇଚ୍ଛାମୁତାବକ କାହିଁକି ଖର୍ଚ୍ଚ ନ କରିବି ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରତି ମାସରେ ସଞ୍ଚୟ କରି କରି ମୁଁ ଯେତେ ଅର୍ଥ ରଖିଥିଲି ସେଥିରୁ ୧୦,୦୦୦ ପାଉଣ୍ଡ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୦,୧୧, ୪୨୧ ଟଙ୍କା ଏହି ବିବାହ ଉତ୍ସବରେ ଖର୍ଚ୍ଚ କରିଛିି । ମୋର ବିବାହ ଉତ୍ସବରେ ମୋଟ ୮୦ରୁ ଊର୍ଦ୍ଧ୍ୱ ଜ୍ଞାତିପରିଜନ ଓ ବନ୍ଧୁ ସାମିଲ ହୋଇଥିଲେ । ନିମନ୍ତ୍ରଣ ପତ୍ରରେ ସ୍ପଷ୍ଟ ଲେଖିଥିଲି ଯେ, ଏ ବିବାହରେ ବରଙ୍କୁ ସାମିଲ କରାଯାଇ ନାହିଁ । ମୋର ଏପରି ବିବାହକୁ ସମର୍ଥନ କରି ସମସ୍ତେ ଖୁସିର ସହିତ ସାମିଲ ହୋଇଥିଲେ ବୋଲି କହିଛନ୍ତି ।

Comments are closed.