Latest Odisha News

ଋଷ ଉପରେ ୟୁକ୍ରେନର ଜବରଦସ୍ତ ଆକ୍ରମଣ, କ୍ଷେପଣାସ୍ତ୍ର ମାଡରେ ପ୍ରାଣ ହରାଇଲେ ୬୩ ରୁଷୀୟ ଯବାନ

ମସ୍କୋ: ଋଷ ଉପରେ ୟୁକ୍ରେନ ଜବରଦସ୍ତ ଆକ୍ରମଣ କରିଛି। ୟୁକ୍ରେନର କ୍ଷେପଣାସ୍ତ୍ର ମାଡରେ ୬୩ ରୁଷ ଯବାନ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ସର୍ବନିମ୍ନ ହୋଇଥିବା ବେଳେ ଏହି ସଂଖ୍ୟା ସର୍ବାଧିକ ୧୦୦ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି। ସେହିପରି ଏହି ଆକ୍ରମଣରେ ୩୦୦ ରୁ ଅଧିକ ଋଷ ସୈନିକ ମଧ୍ୟ ଆହତ ହୋଇଛନ୍ତି।

ଆମେରିକାର କ୍ଷେପଣାସ୍ତ୍ରକୁ ଋଷ ଆକ୍ରମଣରେ ବ୍ୟବହାର କରିଥିବା ସୂଚନା ରହିଛି। ଆମେରିକା ନିକଟରେ ୟୁକ୍ରେନକୁ ‘ହିମର୍ସ’ ନାମକ କ୍ଷେପଣାସ୍ତ୍ର ବ୍ୟବସ୍ଥା ଦେଇଛି। ୟୁକ୍ରେନ ଏହା ବ୍ୟବହାର କରିଛି। ଏହି ଘମାଘୋଟ ଆକ୍ରମଣ ପାଇଁ ୟୁକ୍ରେନ ନିଜକୁ ଦାୟୀ କରିଛି ଏବଂ ଡୋନେଟସ୍କର ପୂର୍ବ ଅଞ୍ଚଳର ମସ୍କୋ ନିୟନ୍ତ୍ରିତ ଅଞ୍ଚଳରେ ଥିବା ମାକିଭ୍କା ସହରରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି।

ସୋମବାର ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆମେରିକାର HIMERS ସିଷ୍ଟମ ବ୍ୟବହାର କରି କିଭ ସୈନ୍ୟମାନେ ପୂର୍ବ ୟୁକ୍ରେନର ଏକ କ୍ୟାମ୍ପ ଉପରେ ଆକ୍ରମଣ କରି ୬୩ ରୁଷୀୟ ସୈନିକଙ୍କୁ ହତ୍ୟା କରିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏକ ବିସ୍ଫୋରକ ଯୁଦ୍ଧବିମାନ ସହିତ ୬ଟି କ୍ଷେପଣାସ୍ତ୍ର ଶିବିର ଉପରେ ମାଡ ହୋଇଛି।

ଉଲ୍ଲେଖଯୋଗ୍ଯ, ନୂଆବର୍ଷକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଋଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଦୀର୍ଘ ୧୦ ମାସ ମଧ୍ୟରେ ଋଷ ଅନେକ ଥର ୟୁକ୍ରେନ ଉପରେ ଆକ୍ରମଣ କରି ସମଗ୍ର ୟୁକ୍ରେନର ନକ୍ସା ବଦଳାଇ ଦେଇଛି। ହେଲେ ୟୁକ୍ରେନ ଏଯାବତ ବିଭିନ୍ନ ଦେଶର ସହଯୋଗକ୍ରମେ ଋଷ ଆଗରେ ଆତ୍ମସମର୍ପଣ ନକରି କଡା ଜବାବ ଦେଉଛି।

Comments are closed.