ମସ୍କୋ: ଗାଜା ହିଂସା ଉପରେ ରୁଷିଆ ଆଣିଥିବା ପ୍ରସ୍ତାବକୁ ଆଜି ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଖାରଜ କରିଦେଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ସାଧାରଣ ନାଗରିକ ହିଂସାର ଶୀକାର ହେଉଛନ୍ତି । ଏହି ଯୁଦ୍ଧକୁ ବିରାମ ଦେବା ପାଇଁ ରୁଷ ଶାନ୍ତି ପ୍ରସ୍ତାବ ଆଣିଥିଲା । ତେବେ ଏହି ପ୍ରସ୍ତାବରେ ହମାସ ଆତଙ୍କବାଦୀ ଇସ୍ରାଏଲରେରେ ପ୍ରବେଶ କରି ଘଟାଇଥିବା ନାରକୀୟ କାଣ୍ଡ ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିଲା । ଫଳରେ ଏହି ପ୍ରସ୍ତାବକୁ ପଶ୍ଚିମ ଦେଶଗୁଡିକ ଖାରଜ କରି ଦେଇଥିଲେ । ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦରେ ଏହାକୁ ପାସ କରିବା ପାଇଁ ୯ ଭୋଟର ଆବଶ୍ୟକତା ଥିଲା । ମାତ୍ର ପ୍ରସ୍ତାବ ସପକ୍ଷରେ ମାତ୍ର ୪ଟି ଦେଶ ମତ ଦେଇଥିଲେ । ଏହି ଦେଶଗୁଡିକ ହେଲା ଚୀନ, ୟୁଏଇ, ମୋଜାମ୍ବିକ ଓ ଗୈବାନ । ବିପକ୍ଷରେ ଆମେରିକା, ବ୍ରିଟେନ, ଜାପାନ ଓ ଫ୍ରାନ୍ସ ମତ ରଖିଥିଲେ । ଅନ୍ୟ ୬ ଦେଶ ମତଦାନରେ ସାମିଲ ହୋଇ ନ ଥିଲେ ।
୭ ଅକ୍ଟୋବରରେ ଫିଲସ୍ତାନୀ ଆତଙ୍କୀ ଗୋଷ୍ଠୀ ହମାସ ଇସ୍ରାଏଲ ସୀମାରେ ପ୍ରବେଶ କରି ୧୪୦୦ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଥିଲା । ଏ ପର୍ଯ୍ୟନ୍ତ ଏଥିରେ ୨୭୫୦ଜଣ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ ସେନା ଗାଜା ସୀମାରେ ପ୍ରବେଶ କଲେ ଇରାନ ହସ୍ତକ୍ଷେପ କରିବା ଆଶଙ୍କା ଥିବାରୁ ଆମେରିକା ଏଥିପାଇଁ ଯଥାସମ୍ଭବ ସହଯୋଗ ଇସ୍ରାଏଲକୁ ଯୋଗାଇବାରେ ଲାଗିଛି । ରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ଯୁଦ୍ଧ ଭୀଷଣ ରୂପ ନେଇପାରେ ।
Comments are closed.