ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଭାରତ ୩ ୱିକେଟରେ ଆଫଗାନିସ୍ତାନକୁ ହରାଇ ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ୩୧୧ ରନର ରେକର୍ଡ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲା । ଆରୋନ ଜର୍ଜଙ୍କ ଶତକ ବଳରେ ଟିମ ଇଣ୍ଡିଆ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଟାଇଟଲ ହାସଲ କରିଥିବା ବେଳେ ୪ଥର ଉପ ବିଜେତା ରହିଛି ।
ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୩୧୦ ରନ କରିଥିଲା । ଫୈଜୁଲ ଶିନୋଜାଦା (୧୧୦)ଓ ଉଜରୁଲାହ ନିଆଯେଇ (୧୦୧ ନଟଆଉଟ)ଶତକ ହାସଲ କରିଥିଲେ । ୩୧୧ ରନର ଲକ୍ଷ୍ୟକୁ ଭାରତ ୪୧.୧ ଓଭରରେ ୩ ୱିକେଟ ହରାଇ ହାସଲ କରିଥିଲା । ଜର୍ଜ ୧୧୫, ବୈଭବ ସୂର୍ଯ୍ୟବଂଶୀ ୬୮ ଓ ଆୟୂଷ ମାହାତ୍ରେ ୬୨ ରନ କରିଥିଲେ । ଶେଷ ଭାଗରେ ଭିହାନ ମାଲହୋତ୍ରା ଦ୍ରୁତ ୩୮ ରନ କରି ଅପରାଜିତ ରହିଥିଲେ । ମ୍ୟାଚ ଉପଯୋଗୀ ଶତକ ନେଇ ଜର୍ଜଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।