Latest Odisha News

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ଉନ୍ମୋଚିତ

ଭବାନୀପାଟଣା : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ଅନୁଷ୍ଠାନ ଲାଇଫରେଚର୍ ଆନୁକୂଲ୍ୟରେ, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟର୍‌ସିପ୍ ପ୍ରାପ୍ତ ଯୁବ କଥାକାର ଡିଲେଶ୍ଵର ରଣାଙ୍କ ଉପନ୍ୟାସ ‘ମେଳିଭୂଇଁ’ ସ୍ଥାନୀୟ ବିଶ୍ବବିଦ୍ୟାଳୟ ଯୁବ ସଂସ୍କାର ହଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି ।

ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, କଳାହାଣ୍ଡି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ବିଶିଷ୍ଟ ଲେଖିକା ପଲ୍ଲୀଶ୍ରୀ ପଟ୍ଟନାୟକ, ବିଶିଷ୍ଟ ଭାଷାବିତ୍ ତଥା ସାହିତ୍ୟିକ ପରମେଶ୍ଵର ମୁଣ୍ଡ ଯୋଗ ଦେଇଥିଲେ।

ରେଣ୍ଡୋ ମାଝୀ କେବଳ କଳାହାଣ୍ଡିର ସ୍ୱାଭିମାନ ନୁହନ୍ତି, ସାରା ଭାରତର ସ୍ୱାଭିମାନ। ତାଙ୍କର ତ୍ୟାଗପୂତ ବଳିଦାନ ସମଗ୍ର ଯୁବ ପୀଢ଼ି ପାଇଁ ପ୍ରେରଣାଦାୟୀ। ତେଣୁ ସେହି ମହାନ ସଂଗ୍ରାମୀଙ୍କୁ ଆମେ ସମସ୍ତେ ଯଥେଷ୍ଟ ସମ୍ମାନ ଦେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ।

ଏହି ସଭାରେ ବିଶିଷ୍ଟ ବ୍ୟଙ୍ଗକବି ତଥା ବିରଞ୍ଚି ନାରାୟଣ ମୁଣ୍ଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଔପନ୍ୟାସିକ ଡିଲେଶ୍ୱର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଏବଂ ଲାଇଫରେଚର୍ ଉପ-ସଭାପତି ଅଜିତ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ପୂର୍ଣ୍ଣକିଶୋର ଦାଶ, ପ୍ରଭାସ ଚନ୍ଦ୍ର ଟୋଲଟିଆ, ଜିତେନ୍ଦ୍ର କୁମାର ସାହୁ, ଜୟନ୍ତୀ ଭୋଇ ତଥା ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Comments are closed.