Latest Odisha News

ଭାରତର ବିସ୍ମୃତ ଅଲିମ୍ପିକ ନାୟକ

ନୂଆଦିଲ୍ଲୀ: ସ୍ୱାଧୀନତା ପରେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ପାଇଁ ଭାରତକୁ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସ ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ସେହି ଅଲିମ୍ପିକ୍ସରେ ହକିରେ ସ୍ୱର୍ଣ୍ଣ ସହ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ଭାରତ । ଆଉ ସେହି ବ୍ରୋଞ୍ଜ ପଦକ ବିଜେତା ଥିଲେ କସଭା ଦାଦାସାହେବ ଯାଦବ ।

ମହାରାଷ୍ଟ୍ରର ସତାରା ଜିଲ୍ଲା ଗୋଲେଶ୍ୱର ଗାଁରେ ୧୯୨୬ ମସିହା ଜାନୁଆରୀ ୧୫ ତାରିଖରେ ଜନ୍ମ ହୋଇଥିଲେ ଯାଦବ । ବାପା ଦାଦାସାହେବ ଥିଲେ ଜଣେ କୁସ୍ତିଯୋଦ୍ଧା । ସ୍ୱାଭାବିକ ଭାବେ କୁସ୍ତି ପ୍ରତି ପିଲାଦିନରୁ ହିଁ ଆକର୍ଷିତ ହୋଇଥିଲେ ଯାଦବ । ଯାଦବଙ୍କ ଶାରୀରିକ ଗଢଣ ଜଣେ କୁସ୍ତିଯୋଦ୍ଧାଙ୍କ ପରି ନଥିଲା । କିନ୍ତୁ ସ୍ଥାନୀୟ କୁସ୍ତି ପ୍ରତିଯୋଗିତାରେ ତାଙ୍କଠାରୁ ବଳିଷ୍ଠ କୁସ୍ତିଯୋଦ୍ଧାଙ୍କୁ ମାତ୍ ଦେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ ଯାଦବ ।

କଲେଜ ଛାତ୍ର ଥିବା ବେଳେ ରାଜ୍ୟ ଓ ଜାତୀୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ କେ.ଡି ଯାଦବ । ୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯାଦବଙ୍କୁ ଡକରା ଆସିଥିଲା । କିନ୍ତୁ ଅର୍ଥ ଥିଲା ପ୍ରତିବନ୍ଧକ । କୋହ୍ଲାପୁରର ମହାରାଜା ସାହାଜୀ ଦ୍ୱିତୀୟଙ୍କ ସହାୟତାରେ ଲଣ୍ଡନ ଯାଇ ପ୍ରସିଦ୍ଧ ଇଂଲିଶ କୋଚ୍ ରିସ୍ ଗାର୍ଡନରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ଯାଦବ ।  ଭାରତର ପାରମ୍ପରିକ ମାଟି କୁସ୍ତି ଆଖଡାରେ ଯାଦବଙ୍କ ଖେଳିବାର ଅଭିଜ୍ଞତା ରହିଥିଲା । ହେଲେ ଲଣ୍ଡନ ଅଲିମ୍ପିକ୍ସରେ ସେ ପ୍ରଥମ ଥର ପାଇଁ ମ୍ୟାଟ୍‌ରେ ଖେଳିଥିଲେ । ନିଜର ପ୍ରଥମ ଅଲିମ୍ପିକ୍ସରେ ଫ୍ରିଷ୍ଟାଇଲ୍ ଫ୍ଲାଇୱେଟ୍ ବର୍ଗରେ ଷଷ୍ଠ ସ୍ଥାନ ହାସଲ କରିବା ଥିଲା ତାଙ୍କ ପରି ନବାଗତଙ୍କ ପାଇଁ ବଡ ସଫଳତା ।

୧୯୫୨ ମସିହା ହେଲସିଙ୍କି ଅଲିମ୍ପିକ୍ସ ବେଳକୁ ଯାଦବ ଥିଲେ ଦେଶର ଅଗ୍ରଣୀ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅନ୍ୟତମ । ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ନିରଞ୍ଜନ ଦାସ ନାମକ ଜଣେ କୁସ୍ତିଯୋଦ୍ଧାଙ୍କ ସହ ତାଙ୍କୁ ଦୁଇ ଥର ଲଢିବାକୁ ପଡିଥିଲା । ବିଜୟୀ ହୋଇଥିଲେ ମଧ୍ୟ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ଯାଦବଙ୍କୁ ସାମିଲ କରାଗଲା ନାହିଁ । ଶେଷରେ ପଟିଆଲା ମହାରାଜା ଯାଦବଙ୍କ ଅନୁରୋଧରେ ନିରଞ୍ଜନ ଦାସଙ୍କ ସହ ଆଉ ଏକ କୁସ୍ତି ଲଢେଇ ଅୟୋଜନ କରିଥିଲେ । ଏଥର ବି ନିରଞ୍ଜନଙ୍କୁ ହରାଇ ହେଲସିଙ୍କି ଅଲିମ୍ପିକ୍ସ ପାଇଁ ଭାରତୀୟ କୁସ୍ତି ଦଳରେ ସ୍ଥାନ ପାଇଲେ ଯାଦବ ।

ହେଲସିଙ୍କି ପାଇଁ ଯାଦବଙ୍କ ପାଖରେ ଅର୍ଥର ଅଭାବ ଥିଲା । ନିଜ ଗାଁ ଗୋଲେଶ୍ୱରର ପ୍ରତି ପରିବାର ତାଙ୍କୁ ସହାୟତାର ହାତ ବଢାଇଲେ । ସେ ପଢିଥିବା କଲେଜର ଅଧ୍ୟକ୍ଷ ନିଜ ଘର ବନ୍ଧକ ରଖି ଯାଦବଙ୍କ ପାଇଁ ଟଙ୍କା ଯୋଗାଡ କରିଥିଲେ । କୋଚ୍ ଗୋବିନ୍ଦ ପୁରନ୍ଦରେ ୩ ହଜାର ଟଙ୍କା ଋଣ ନେଇଥିଲେ । ସମସ୍ତଙ୍କ ସଦିଚ୍ଛା ନେଇ ହେଲସିଙ୍କି ଯାତ୍ରା କରିଥିଲେ ଯାଦବ ।

ହେଲସିଙ୍କି ଅଲିମ୍ପିକ୍ସରେ ବଂଟମୱେଟ୍ ବର୍ଗରେ ସେ ପ୍ରତିଦ୍ୱନ୍ଦିତା କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ କାନାଡା, ମେକ୍ସିକୋ ଓ ଜର୍ମାନୀର ପ୍ରତିଯୋଗୀଙ୍କୁ ସହଜରେ ମାତ୍ ଦେଇଥିଲେ ଯାଦବ । ପଦକ ପାଇଁ ସୋଭିଏତ ସଂଘର ଶକ୍ତିଶାଳୀ କୁସ୍ତି ଯୋଦ୍ଧା ରସିଦ ମାମୁଦବେୟଭଙ୍କ ସହ ତାଙ୍କର ଲଢେଇ ହୋଇଥିଲା । ଏହି ଲଢେଇରେ ହାରି ବ୍ରୋଞ୍ଜ ପଦକରେ ହିଁ ସନ୍ତୁଷ୍ଟ ହୋଇଥିଲେ ଯାଦବ । ଏହି ପଦକ ସହ ଅଲିମ୍ପିକ୍ସରେ ସ୍ୱାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ପଦକ ବିଜେତା ହୋଇ ଇତିହାସ ରଚିଲେ ‘ପକେଟ୍ ଡାଇନାମୋ’ ଯାଦବ ।

ଆଣ୍ଠୁ ଆଘାତ ଯୋଗୁଁ ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ଭାଗ ନେଇ ପାରି ନଥିଲେ ଯାଦବ । ୧୯୮୪ ମସିହାରେ ଏକ ସଡକ ଦୁର୍ଘଟଣାରେ କେ.ଡି ଯାଦବଙ୍କ ମୃତ୍ୟୁ ହୋଇଥିଲା ।

ଯାଦବଙ୍କ ଐତିହାସିକ ଅଲିମ୍ପିକ୍ସ ସଫଳତା ସତ୍ତ୍ୱେ ତାଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ମିଳିନାହିଁ । ଯାହା ବି ମିଳିଛି, ଖୁବ୍ ବିଳମ୍ବରେ । ଏହି ମହାନ କ୍ରୀଡାବିତଙ୍କୁ ୨୦୦୧ରେ ହିଁ ମରଣୋତ୍ତର ଭାବେ ଅର୍ଜୁନ ପୁରସ୍କାର ଦିଆଯାଇଥିଲା ।

Comments are closed.