Latest Odisha News

BREAKING NEWS

‘ସଂସ୍କୃତ ଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ସମେତ ଅନ୍ୟ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର’

ଭୁବନେଶ୍ୱର: ସଂସ୍କୃତ ଭାଷାକୁ ଏତେ କେହି ବ୍ୟବହାର କରୁ ନାହାନ୍ତି। ସଂସ୍କୃତ ଭାଷା ତୁଳନାରେ ଦେଶର ଅନ୍ୟ ଶାସ୍ତ୍ରୀୟ ଭାଷା ଯଥା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଓ ଓଡ଼ିଆ ଭାଷାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ସଂସ୍କୃତକୁ ଭାଷାକୁ ଯେଉଁଭଳି ଭାବେ ଏହିସବୁ ଭାଷା ତୁଳନାରେ ପ୍ରାଧାନ୍ୟା ଦିଆଯାଇଛି ତାକୁ ଗ୍ରହଣ କରିପାରି ନାହାନ୍ତି ଓଡ଼ିଶାର ବିଜେଡି ସାଂସଦ। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହୋଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନହେବାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ କେନ୍ଦ୍ର ସରକାର ତଥା ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ।

ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଏପରି ପାତର ଅନ୍ତରକୁ ଗ୍ରହଣ କରିପାରି ନାହାନ୍ତି। ଆଉ ଓଡ଼ିଆ ଭାଷାର ଭବିଷ୍ୟତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ତିନି ବର୍ଷ ମଧ୍ୟରେ ସଂସ୍କୃତର ପ୍ରଚାର ପାଇଁ ସରକାର ଦେଇଥିବା ୬୪୦ କୋଟି ଟଙ୍କା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତା ଜୟରାମ ରମେଶ କରିଥିବା ଟ୍ବିଟର ଜବାବରେ ଏଭଳି ସମାଲୋଚନା କରିଛନ୍ତି ବିଜେଡିର ଦୁଇ ସାଂସଦ।

ଜୟରାମ ରମେଶ କହିଛନ୍ତି, ଭାରତରେ ମାତ୍ର ୧୫ ହଜାର ଲୋକ ସଂସ୍କୃତ କୁହନ୍ତି ଏବଂ ଏହା ପୁରୋହିତ ଓ ଅଦାଲତର ଭାଷା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଆଞ୍ଚଳିକ ଭାଷାର ମୂଲ୍ୟରେ ସଂସ୍କୃତକୁ ଅଧିକ ଗୁରୁତ୍ୱ ଦେବାର ବିପଦ ରହିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍, ଓଡ଼ିଆ ଭାଷା ପାଇଁ ମିଳିତ ଭାବେ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି, ତା’ର ୨୨ ଗୁଣ ସଂସ୍କୃତ ଭାଷା ପାଇଁ ଖର୍ଚ୍ଚ ହୋଇଛି।

ଏହା ଫଳରେ ଓଡ଼ିଆ ଭଳି ଅନ୍ୟ ଆଞ୍ଚଳିକ ଭାଷା ପ୍ରତି ଅବହେଳାର ଆଶଙ୍କା ସୃଷ୍ଟି ହୋଇଛି, କାରଣ ସରକାର ଏହାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ କରିନାହାନ୍ତି କି ଭାଷାର ପ୍ରଚାର ପ୍ରସାର ପାଇଁ କୌଣସି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି। ସମାନ କଥା ମାଲାୟାଲମ ଭାଷାରେ ମଧ୍ୟ ଲାଗୁଛି।

ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ପ୍ରକାଶ କରିଛନ୍ତି ଯେ ୨୦୨୧-୨୨ରେ ତାମିଲ ଭାଷା ପାଇଁ ସରକାର ୧୧୮୬.୧୫ ଲକ୍ଷ ଟଙ୍କା ଆବଣ୍ଟନ କରିଥିବା ବେଳେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ୧୯୮୮୩.୧୬ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ(ଆଇସିସିଆର) ପୋଲାଣ୍ଡରେ ତାମିଲ ଚେୟାର ପ୍ରତିଷ୍ଠା କରିଥିଲେ ମଧ୍ୟ ଓଡ଼ିଆ ଭାଷା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏପରିକି ହିନ୍ଦୀ ଓ ବଙ୍ଗଳା ଭାଷାକୁ ମଧ୍ୟ ଏହି ମାନ୍ୟତା ମିଳିନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଆ ଭାଷାର ଉନ୍ନତି ଲାଗି କେନ୍ଦ୍ର ସରକାର ଆଦୌ ଯତ୍ନବାନ ନୁହନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ରରୁ ଟଙ୍କାଟିଏ ମଧ୍ୟ ମିଳିନଥିବାବେଳେ ପରବର୍ତ୍ତୀ ୩ ବର୍ଷ ହେଲା ନଗଣ୍ୟ ଅନୁଦାନ ମିଳିଛି।

ଦେଶର ଅନ୍ୟ ଭାଷାଗୁଡ଼ିକ ତୁଳନାରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାରଙ୍କ ଏତେ ଅବହେଳା କାହିଁକି? ସଂସ୍କୃତ ଭାଷାକୁ ଏତେ ଅଧିକ ଅନୁଦାନ ଦେଉଥିବା କେନ୍ଦ୍ର ପାଇଁ ଓଡ଼ିଆ ଭାଷା କଣ ସାବତ ପୁଅ ? ନିକଟରେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।

ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଖୋଦ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଭାଷାକୁ ଅଣଦେଖା କରି ଆସୁଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପି ନେତାମାନଙ୍କ ମନରେ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତିଳେ ବି ଦରଦ ନାହିଁ।

Comments are closed.