Latest Odisha News

BREAKING NEWS

‘ବିକଶିତ ଭାରତ’ ପାଇଁ ସମସ୍ତେ ଗୋଟିଏ ପାଦ ଆଗକୁ ବଢାଇବାକୁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ 

ସମ୍ବଲପୁର: ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସହ ଦେଶକୁ ମଜଭୂତ୍ କରିବା । ଅମୃତକାଳର ଚାରିଟି ଅମୃତ ସ୍ତମ୍ଭ – ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବଙ୍କ ଶକ୍ତି ଭାରତକୁ ବିକଶିତ କରିବ । ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର ।  ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହକାରେ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା । ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି  ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି । ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

Leave A Reply

Your email address will not be published.