Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ; ସେତୁ ନିର୍ମାଣ ପାଇଁ ମଞ୍ଜୁର କଲେ ୨୮୭ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ  ।  ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ  ଦେଲେ ଅନୁମୋଦନ  । ସେତିକି ନୁହେଁ, ସେତୁ ନିର୍ମାଣ ପାଇଁ  ୨୮୭.୮୨ କୋଟି ଟଙ୍କା  ମଧ୍ୟ ମଞ୍ଜୁର କରିଛନ୍ତି । ଏ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଦେବା ସହ   ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, ଭାରତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମାଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନୁରୂପ ଭାବରେ ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟାଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି ।

ଏହା ଦ୍ୱାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ଓ ଏହି ନିଷ୍ପତି ଅଞ୍ଚଳର ବିକାଶ କରିବା ସହ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବ କା ସାଥ୍, ସବକା ବିକାଶ , ସବକା ପ୍ରୟାସ, ସବକା ବିଶ୍ଵାସ ମନ୍ତ୍ରରେ କାମ କରୁଛନ୍ତି   । ଓଡିଶାର ବିକାଶ ପାଇଁ ଏହି ପ୍ରକଳ୍ପକୁ ମଂଜୁର କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

Leave A Reply

Your email address will not be published.