ନୂଆଦିଲ୍ଲୀ: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ଆଜି ପବିତ୍ର ‘ଗୁରୁ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ମିଶନ ଦ୍ୱାରା ସମଗ୍ର ଭାରତ ବର୍ଷରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ୧୧୧ଟି ମାଲବୀୟ ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ୧୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକ ମାନଙ୍କର କ୍ଷମତା ବୃଦ୍ଧି କରିବା ପାଇଁ ତାଲିମ ଦିଆଯିବ। ଏହା ଦ୍ୱାରା ସେମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବିକାଶ ହେବ। ଭାରତୀୟ ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ସହିତ ଆମର ଶିକ୍ଷକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ମିଶନ ଆରମ୍ଭ କରାଯାଇଛି। ଶିକ୍ଷକଙ୍କ ପ୍ରଶିକ୍ଷଣରେ ଗୁଣାତ୍ମକ ମାନ ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା; ଏହି ମିଶନର ଲକ୍ଷ୍ୟ ରହିଛି । ଶିକ୍ଷକଙ୍କ କ୍ୟାରିୟର ମାର୍ଗକୁ ଆଗକୁ ନେବା ପାଇଁ ମାଲବୀୟ ମିଶନ ଅଧୀନରେ କାପାସିଟି ବଲଡିଂକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମଧ୍ୟ ମ୍ୟାପିଂ କରାଯିବ। ଶିକ୍ଷକଙ୍କ ବିକାଶ ପାଇଁ ଭାରତ ସରକାର ପ୍ରତିବଦ୍ଧ।
ଦେଶର ସାମାଜିକ ସମରସତା, ସମ୍ବିଧାନ ଓ ପ୍ରଜାତନ୍ତ୍ର ପ୍ରତି ପ୍ରତିବଦ୍ଧତାର ମୂଳ ପ୍ରୟୋଗଶାଳା ହେଉଛି ଶିକ୍ଷା। ମଦନ ମୋହନ ମାଲବୀୟଙ୍କ ଭଳି ଆମର ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ସମାଜ ଓ ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି। ଯେଉଁ ସମାଜ ଗଭୀର ଭାବରେ ଚିନ୍ତା କରିବା ନାହିଁ, ଗବେଷଣା କରିବ ନାହିଁ ତେବେ ସେ ସୃଜନଶୀଳ ହୋଇପାରିବ ନାହିଁ। ଏହା ଦ୍ୱାରା ସମାଜର ଅଗ୍ରଗତି ମଧ୍ୟ ହୋଇପାରିବ ନାହିଁ। ଚନ୍ଦ୍ରାୟାନ-୩ ଅଭିଯାନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ ବୈଜ୍ଞାନିକ ଓ କୁଶଳୀ କରିବା ହେଉଛି ଶିକ୍ଷା ମାଧ୍ୟମରେ ଶିକ୍ଷକଙ୍କର ଦାୟିତ୍ୱ।
ଆମ ଶିକ୍ଷା ସମାଜର ଦାୟିତ୍ୱ ଦୁନିଆର ସବୁ ବିଷୟ ଜାଣିବା ଏବଂ ସେ ସବୁକୁ ଛାତ୍ରଛାତ୍ରୀଙ୍କୁ ଜଣାଇବା । ଦେଶକୁ ବୈଜ୍ଞାନିକ, ଆଧୁନିକ, ବିକଶିତ ଭାରତରେ ପରିଣତ କରିବା ପାଇଁ ହେଲେ ପ୍ରଥମ ରଣନୀତି ହେଉଛି ଶିକ୍ଷା ବ୍ୟବସ୍ଥାକୁ ମଜଭୂତ୍ କରିବାକୁ ହେବ । ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବାକୁ ହେବ । ତେବେ ଯାଇ ସମାଜ ଆଗକୁ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Comments are closed.