Latest Odisha News

BREAKING NEWS

ମଙ୍କିପକ୍ସକୁ ନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର, ସ୍ଥିତି ସମୀକ୍ଷା କଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବିଶ୍ଵରେ ମଙ୍କିପକ୍ସର ମାମଲା ବୃଦ୍ଧିକୁ ନେଇ ସାରା ଦେଶ ଏବେ ଆତଙ୍କିତ । ଗତ ଦୁଇ ଦିନ ତଳେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଛି । ତେବେ ଦେଶରେ ମଙ୍କିପକ୍ସର ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା । ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ମଙ୍କିପକ୍ସର ସ୍ଥିତି ଏବଂ ପ୍ରସ୍ତୁତିର ବିସ୍ତୃତ ନେଇ ସମୀକ୍ଷା କରିଥିଲେ ମନ୍ତ୍ରୀ । ତେବେ ଭାରତରେ ଏହି ମାମଲା ଏଯାବତ୍ ଦେଖାଯାଇନାହିଁ । କିନ୍ତୁ ଆଶଙ୍କାକୁ କମ୍ କରିବା ପାଇଁ ମଙ୍କିପକ୍ସରୁ ରକ୍ଷା ପାଇବା ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କେତେକ ପଦକ୍ଷେପ ନେଇଛି ସ୍ଵାସ୍ଥ୍ୟ ବିଭାଗ ।

ସୂଚନା ଅନୁସାରେ, ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ ୨-୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ଏବଂ ରୋଗୀମାନେ ସାଧାରଣତଃ ସହାୟକ ଚିକିତ୍ସା ପରିଚାଳନା ଦ୍ୱାରା ସୁସ୍ଥ ହୁଅନ୍ତି । ସଂକ୍ରମଣ ପାଇଁ ସଂକ୍ରମିତ ଙ୍କ ସହ ଦୀର୍ଘ ସମୟ ଧରି ଘନିଷ୍ଠ ସଂସ୍ପର୍ଶରେ ଆସିବା ଆବଶ୍ୟକ ହୋଇଥାଏ ଏବଂ ସାଧାରଣତଃ ଯୌନ ମାର୍ଗ, ଶରୀର/କ୍ଷତ ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଦୂଷିତ ପୋଷାକ/ଲୁଗାପଟା ମାଧ୍ୟମରେ ହୁଏ ।

ସୂଚନାଯୋଗ୍ୟ ଯେ, ଡବ୍ଲ୍ୟୁଏଚଓ ପୂର୍ବରୁ ଜୁଲାଇ ୨୦୨୨ରେ ମଙ୍କିପକ୍ସକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଅଫ୍ ଇଣ୍ଟରନ୍ୟାସନାଲ କନସର୍ନ (ପିଏଚ୍ଇଆଇସି) ଭାବେ ଘୋଷଣା କରିଥିଲା ଏବଂ ପରେ ମେ ୨୦୨୩ରେ ଏହାକୁ ପ୍ରତ୍ୟାହାର କରିଥିଲା। ୨୦୨୨ ମସିହାରେ ବିଶ୍ବବ୍ୟାପୀ ଡବ୍ଲ୍ୟୁଏଚ୍ଓର ଗଣନା ଅନୁସାରେ ୧୧୬ଟି ଦେଶ ମଧ୍ୟରୁ ୯୯,୧୭୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦୮ ଜଣଙ୍କ ମୃତ୍ୟୁ ଘଟିଛି। ଡବ୍ଲ୍ୟୁଏଚ୍ଓ ଦ୍ୱାରା ୨୦୨୨ ଘୋଷଣା ପରେ ଭାରତରେ ସମୁଦାୟ ୩୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ମାର୍ଚ୍ଚ ୨୦୨୪ରେ ଶେଷ ମାମଲା ଚିହ୍ନଟ ହୋଇଥିଲା ।

 

 

Comments are closed.