Latest Odisha News

ଅପନା ରେଡିଓ ୯୦.୦ ଏଫ୍ ଏମ୍ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ ‘ଅପନା ରେଡିଓ ୯୦.୦ ଏଫ୍ ଏମ୍’ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଷ୍ଟେସନ ‘ଅପନା ରେଡିଓ ୯୦.୦ ଏଫ୍ ଏମ୍’ ହେଉଛି ଆଇଜୋଲସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଦ୍ୱାରା ପରିଚାଳିତ ଏକ ଷ୍ଟେସନ୍ । ଭାରତର କମ୍ୟୁନିଟି ରେଡିଓ ଯାତ୍ରାରେ ଏହା ମାଇଲଖୁଣ୍ଟ ବୋଲି ଘୋଷଣା କରିଛନ୍ତି ଶ୍ରୀ ବୈଷ୍ଣବ ।

ଆଇଆଇଏମସି ଆଇଜୋଲରେ ଅପନା ରେଡିଓ ଷ୍ଟେସନ ରାଜ୍ୟ ପାଇଁ ଯୋଗାଯୋଗରେ ଏକ ନୂତନ ଅଧ୍ୟାୟ ଲେଖିବ ବୋଲି କହିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଶ୍ରୀ ଲାଲଦୁହୋମା । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକ ସମୁଦାୟ ପାଇଁ ଏକ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା କରିବା ଅତ୍ୟନ୍ତ ଲାଭଦାୟକ ହେବ, ଯାହା ସେମାନଙ୍କୁ ଦୈନନ୍ଦିନ ପାଣିପାଗ ସଂକ୍ରାନ୍ତରେ ଅପଡେଟ୍, ସରକାରୀ ଯୋଜନା ଏବଂ କୃଷି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ ।

ସେପଟେ ଦଶମ ଜାତୀୟ ଗୋଷ୍ଠି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜାତୀୟ କମ୍ୟୁନିଟି ରେଡିଓ ଆୱାର୍ଡ ସାଧାରଣତଃ ପ୍ରତିବର୍ଷ ପ୍ରଦାନ କରାଯାଏ । ଏହି କ୍ରମରେ ମନ୍ତ୍ରଣାଳୟ ପକ୍ଷରୁ ଆଜି ୪ଟି ବିଭାଗରେ ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ବିଷୟଗତ ପୁରସ୍କାର, ସବୁଠାରୁ ଅଭିନବ କମ୍ୟୁନିଟି ଏନଗେଜମେଣ୍ଟ ଆୱାର୍ଡ, ସ୍ଥାନୀୟ ସଂସ୍କୃତି ପୁରସ୍କାରକୁ ପ୍ରୋତ୍ସାହିତ କରିବା, ସ୍ଥାୟୀତା ମଡେଲ ପୁରସ୍କାର ବିଭାଗର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପ୍ରତ୍ୟେକ ବର୍ଗରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୧ ଲକ୍ଷ ୭୫ ହଜାର ଓ ୫୦ ହଜାର ଟଙ୍କା ରହିଛି। ତେବେ ସ୍ଥାୟୀତା ମଡେଲ ପୁରସ୍କାର ବିଭାଗରେ ଓଡିଶାର ୟଙ୍ଗ ଇଣ୍ଡିଆ ଦ୍ୱାରା ପରିଚାଳିତ ରେଡିଓ ନମସ୍କାର, କୋଣାର୍କକୁ ଦ୍ବିତୀୟ ପୁରସ୍କାର ପ୍ରଦାନ କରାଯାଇଛି । କହିରଖୁଛୁ ଯେ, କମ୍ୟୁନିଟି ରେଡିଓ ଷ୍ଟେସନ (ସିଆରଏସ) ମଧ୍ୟରେ ଉଦ୍ଭାବନ ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ୨୦୧୧-୧୨ ମସିହାରେ ଜାତୀୟ ଗୋଷ୍ଠୀ ରେଡିଓ ପୁରସ୍କାର ପ୍ରତିଷ୍ଠା କରିଥିଲେ ।

Comments are closed.