ଯାଜପୁର ଉପରେ ବିଜେପିର ନଜର, ସ୍ଥିତି ପରଖିବାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ
ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ମଧ୍ୟାହ୍ନରେ ଭୁବନେଶ୍ବର ଆସୁଥିବା ସୂଚନା
ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ରେ ଯେଉଁ ୧୪୪ ଲୋକସଭା ଆସନରେ ବିଜେପି ଦୁର୍ବଳ ଥିଲା ତାକୁ ସୁଦୃଢ କରିବାକୁ ରଣନୀତି ଆରମ୍ଭ କରିଛନ୍ତି ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ। ଏହି କ୍ରମରେ ଆଜି ଓଡିଶା ଆସିଛନ୍ତି କେନ୍ଦ୍ର ଆଦିବାସୀମନ୍ତ୍ରୀ ଅର୍ଜୁନ ମୁଣ୍ଡା। ତାଙ୍କ ସହ ରହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଭୟ ସଂଗଠନର ସ୍ଥିତି ସମୀକ୍ଷା କରିବେ। ଆଜି ଉଭୟ ନେତା ସକାଳୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅର୍ଜୁନ ମୁଣ୍ଡା ଯାଜପୁର ଲୋକସଭା ଆସନର ଦାୟିତ୍ୱରେ ଥିବାରୁ ସେ ଯାଜପୁର ଗସ୍ତରେ ଥିବା ସୂଚନା ରହିଛି। ସେଠାରେ ସେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ସେହିପରି ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ମଧ୍ୟାହ୍ନରେ ଭୁବନେଶ୍ବର ଆସୁଥିବା ସୂଚନା ରହିଛି।
आज से मैं जाजपुर(ओडिशा) के तीन दिवसीय प्रवास पर रहूंगा।आज भुवनेश्वर पहुंचने पर मुझे और मेरे मित्र श्री धर्मेंद्र प्रधान जी का ओडिशा के प्रशासनिक अधिकारियों, पार्टी के पदाधिकारी और कार्यकर्ताओं ने स्वागत किया। उन सबका आभार।@BJP4India@JPNadda@BJP4Odisha @TawdeVinod pic.twitter.com/RqSgh9spMz
— Arjun Munda (@MundaArjun) September 9, 2022
ନିକଟରେ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ସାଂଗଠନିକ ସ୍ଥିତି ନେଇ ବୈଠକ ବସିଥିଲା। ଏଥିରେ ପୂର୍ବ ନିର୍ଦ୍ଦେଶକ୍ରମେ ଚିହ୍ନଟ ହୋଇଥିବା ୧୪୪ ଦୁର୍ବଳ ଲୋକସଭା ଆସନର ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ରିପୋର୍ଟ ଦେଇଥିଲେ। ହେଲେ ଅନେକ ଲୋକସଭା ଆସନର ରିପୋର୍ଟ ଉପସ୍ଥାପନ ହୋଇନଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସଭାପତି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ମହାସଚିବ ବି.ଏଲ ସନ୍ତୋଷ।
ପରେ ଅମିତ ଶାହ କହିଥିଲେ ଆଜି ଦଳ ଯେଉଁ କ୍ଷମତାରେ ରହିଛି ସେଥିପାଇଁ ସଂଗଠନର ଗୋଟିଏ ବଡ଼ ଭୂମିକା ରହିଛି। ତେଣୁ ଅଗ୍ରାଧିକାର ଭାବେ ଆଗ ସଂଗଠନର କାମ ହେବା ଦରକାର। ଏହାକୁ ବିଜେପିର ସମସ୍ତ ନେତା ଓ କର୍ମୀ ପ୍ରାଥମିକ ଭାବେ ନେବା ଉଚିତ ବୋଲି ଶାହ କହିଥିଲେ। ଆଉ ଉପସ୍ଥାପନ ହୋଇନଥିବା ବାକି ଲୋକସଭା ଆସନର ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇନଥିଲେ। ଯଦିଓ ୧୪୪ ଦୁର୍ବଳ ଲୋକସଭା ଆସନ ଭିତରେ ଓଡିଶାର କେତୋଟି ଆସନ ରହିଛି ସ୍ପଷ୍ଟ ହୋଇନି କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେପି ୧୨ଟିରେ ବିଜୟୀ ହୋଇଥିଲା ବାକି ଆସନରୁ ବିଜେପି ୭ଟି, କଂଗ୍ରେସ ଗୋଟିଏ ଆସନ ହାତେଇଥିଲା। ତେଣୁ ବିଜେପି ପାଇଁ ଓଡ଼ିଶାର ଦୁର୍ବଳ ଲୋକସଭା ଆସନ ସଂଖ୍ୟା ୧୩ଟି ବୋଲି କୁହାଯାଉଛି।
ତେବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ଯାଜପୁର ଆସି ଦଳର ସାଂଗଠିନକ ସ୍ଥିତି ଉପରେ ଆଲୋଚନା କରିବେ। ଏହି ଲୋକସଭା ଆସନ ବିଜେଡିର ଗଡ଼ ଭାବେ ପରିଚିତ। କାରଣ ଏହା ବିଜେଡିର ଶୀର୍ଷ ନେତା ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଜିଲ୍ଲା। ଅନ୍ତିମ ସାଧାରଣ ନିର୍ବାଚନରେ ଏଠାରେ ବିଜେପିର ଭୋଟ୍ ପ୍ରତିଶତ ବଢ଼ିଛି। ହେଲେ ପଞ୍ଚାୟତ ଓ ପୌର ନିର୍ବାଚନ ବେଳେ ବିଜେପିର ଅନେକ ନେତା ବିଜେଡିକୁ ପଳାଇଛନ୍ତି। ଆଉ ନିର୍ବାଚନରେ ବିଜେଡି ମଧ୍ୟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛି। ତେଣୁ ଆଗାମୀ ଦିନରେ ଭୋଟ୍ ପୂର୍ବପରି ଆସିବ ନାହିଁ ଯଦି ବିଜେପି ସଂଗଠନକୁ ମଜବୁତ କରିବ ନାହିଁ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଶର୍ମିଷ୍ଠା ସେଠୀ ବିଜୟୀ ହୋଇଥିଲେ। ସେ ମୋଟ୍ ୫,୪୪,୦୨୨ ଖଣ୍ଡ ଭୋଟ୍ ପାଇଥିଲେ। ସେହିପରି ବିଜେପିର ଅମୀୟ କୁମାର ମଲ୍ଲିକ ୪,୪୨,୩୨୭ ଖଣ୍ଡ ଭୋଟ୍ ପାଇଥିଲେ। ଅର୍ଥାତ୍ ଭୋଟ୍ ହାରକୁ ଦେଖିଲେ ବିଜେପି ଆଗାମୀ ଦିନରେ ଜିତିବାର ସମ୍ଭାବନା ରହିଛି।
ଅନ୍ୟପଟେ ଚଳିତ ମାସର ଶେଷରେ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିବେ। ଏହାପୂର୍ବରୁ ଜିଲ୍ଲା ଗୁଡିକର ସାଂଗଠନିକ ସ୍ଥିତିର ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିବା ସୂଚନା ରହିଛି। ଏସବୁକୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ପୂରେନ୍ଦେଶ୍ୱରୀ ସଭାପତିଙ୍କ ଆଗରେ ରଖିବେ। ପରେ ନଡ୍ଡା ୨୦୨୪ ପାଇଁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ରହିଛି।
Comments are closed.