Latest Odisha News

ମନ୍ଦା ମଇଁଷିକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମରେ ଓଡିଶାର “ମନ୍ଦା” ମଇଁଷି ପ୍ରଜାତିକୁ ଦେଶର ୧୯ତମ ମଇଁଷି ପ୍ରଜାତି ହିସାବରେ ମାନ୍ୟତା ମିଳିଛି । କେନ୍ଦ୍ର କୃଷମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାର  ଏହି ଜାତୀୟ ମାନ୍ୟତା ପ୍ରାପ୍ତ ପ୍ରମାଣ ପତ୍ର ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରାଣୀ ପ୍ରଜନନ ବିଭାଗ ପ୍ରଫେସର ଓ ମୁଖ୍ୟ ଡ଼ା. ସୁଶାନ୍ତ କୁମାର ଦାଶଙ୍କୁ ପ୍ରଦାନ କରିଛନ୍ତି । ଏହି ମଇଁଷି ଓଡିଶାର କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଦେଖାଯାଏ ।

ମନ୍ଦା ମଇଁଷିମାନଙ୍କର ରଙ୍ଗ ହାଲକା ଧୂସର ଓ ହାଲକା କଳା ହୋଇଥିବା ବେଳେ ଆକାର ମଧ୍ୟମ ଧରଣର ଅଟେ । ଏମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବହୁତ୍ ଅଧିକ ଏବଂ ଜଳବାୟୁ ପରିବର୍ତ୍ତନର ଛାପ ଏମାନଙ୍କ ଠାରେ କମ୍ ପ୍ରତିଫଳନ ହୁଏ । ସମସ୍ତ କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହି ମଇଁଷି ପ୍ରଜାତି ଦିନକୁ ହାରାହାରି ଦେଢ଼ ଲିଟର କ୍ଷୀର ଦେଇଥାନ୍ତି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମିଳିତ ଭାବରେ ୨୦୦୯ ମସିହାରେ ମନ୍ଦା ମଇଁଷିମାନଙ୍କ ଉପରେ ଅଧ୍ୟୟନ ଓ ଗବେଷଣା ଆରମ୍ଭ କରିଥିଲେ । ପ୍ରଫେସର ସୁଶାନ୍ତ ଦାଶ ଓ ତତ୍କାଳୀନ ପ୍ରାଣୀବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ମନ୍ଦା ମଇଁଷି ମାନଙ୍କର ସ୍ୱତନ୍ତ୍ରତାକୁ ଏକ ପୁସ୍ତକ ମାଧ୍ୟମରେ ଉଲ୍ଲେଖ କରିଥିଲେ ଓ ଏହାକୁ ଏକ ସ୍ଵତନ୍ତ୍ର ମଇଁଷି ପ୍ରଜାତି ମାନ୍ୟତା ଦେବାପାଇଁ କେନ୍ଦ୍ରସରକାଙ୍କଠାରେ ପ୍ରସ୍ତାବ ରଖିଥିଲେ ।

ଜାତୀୟ ମାନ୍ୟତା ପାଇବା ପରେ ମଇଁଷିମାନଙ୍କର ସଂରକ୍ଷଣ ଓ ଉନ୍ନତି ନିମିତ୍ତ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପର ପ୍ରୟୋଗ କରିବେ ଯାହା ଏହି ପ୍ରଜାତି ପାଳନ କରୁଥିବା ଚାଷୀମାନଙ୍କର ଆର୍ଥିକସ୍ତରରେ ଉନ୍ନତି ଆଣିବା ସହ ଓଡ଼ିଶାର ପ୍ରାଣୀ ସମ୍ପଦ ବିକାଶରେ ସହାୟକ ହେବ । ସଂରକ୍ଷଣ ପାଇଁ ସମସ୍ତ ବୈଷୟିକ ସହାୟତା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ତରଫରୁ ପ୍ରଦାନ କରାଯିବ ବୋଲି ପ୍ରାଣୀ ପ୍ରଜନନ ବିଭାଗ ମୁଖ୍ୟ ପ୍ରଫେସର ସୁଶାନ୍ତ ଦାଶ କହିଛନ୍ତି ।

Leave A Reply

Your email address will not be published.