Latest Odisha News

BREAKING NEWS

ରାଜଧାନୀରେ ନିଆରା ବାହାଘର; ବର ସାଙ୍ଗରେ ମାର୍କଣ୍ଡି ଗଲା ବାଛୁରୀ

ଭୁବନେଶ୍ୱର: ବର ସାଙ୍ଗରେ ମାର୍କଣ୍ଡି । କୁନି ପିଲାଟି ନୂଆ ଡ୍ରେସ ପିନ୍ଧି ଚନ୍ଦନ ଟିପା ଲଗାଇ, ଫୁଲମାଳ ପକେଇ ସଜେଇ ହେବ । ଠିକ ବର ପରି । ବର ପାଖରେ ବସି ସେ ବି ଯିବ କନ୍ୟା ଘରକୁ । ଆମ ବାହାଘରରେ ଏମିତି ପରମ୍ପରା ରହିଛି । କାର ଭିତରେ ବର କୋଳରେ ବାଛୁରୀ ମାର୍କଣ୍ଡି ହୋଇ ଯିବା କେବେ ଶୁଣିଛନ୍ତି ? ହେଲେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସେ ପୁଣି କେଉଁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନୁହେଁ । ଖୋଦ ରାଜଧାନୀରୁ  । କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବି ଏପରି କରାଯାଇନି । ବରଂ ବର ଜଣେ ଅତି ସଚେତନ ବ୍ୟକ୍ତି ଏବଂ ସେ ଜାଣି ଜାଣି ଏପରି କରିଛନ୍ତି । ତେବେ କାହିଁକି ସେ ମାର୍କଣ୍ଡିରେ ଏମିତି ବାଛୁୂରୀକୁ ସଜେଇ ନେଇଛନ୍ତି ଜାଣିଲେ ଆପଣଙ୍କ ମନ ବି ଖୁସି ହୋଇଯିବ ।

ବାଛୁରୀ ପାଦରେ ଲଗେଇଛି ଅଳତା । ଦେହରେ ହଳଦୀ । ମଥାରେ ମକୁଟ ସାଙ୍ଗକୁ ଫୁଲମାଳ ସଜା ହୋଇଛି । କାନ୍ଧରେ ପଡିଛି ରଙ୍ଗୀନ ଚାନ୍ଦୁଆ । ସଜବାଜ ହୋଇ କାର ଭିତରେ ବସିଛି ବାଛୁରୀ । କାର ଭିତରେ ବର ବସିଛି ଆଉ ତାଙ୍କ କୋଳରେ ବାଛୁରୀ । ରାଜଧାନୀ ଉପକଣ୍ଠ ପଥରଗାଡିଆରୁ ବାହାରିଥିଲା ଏପରି ଏକ ବାହାଘର । ଏ ବାହାଘର ଥିଲା ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରାଙ୍କର । ଗୋ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ସେ ଏପରି ନିଆରା ଢଙ୍ଗରେ ବିବାହ ଆୟୋଜନ କରିଥିଲେ ।

ତାରାକାନ୍ତ ପେଷାରେ ଜଣେ ଶିକ୍ଷକ । ହେଲେ ଦୀର୍ଘ ୨୦ ବର୍ଷ ଧରି ସେ ଗୋ ସେବା କରି ଆସୁଛନ୍ତି । ଗୋମାତା ପ୍ରତି ତାଙ୍କର ଏହି ଭଲପାଇବା ଏପରି ଏକ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା । ବାଛୁରୀକୁ ସେ ମାର୍କଣ୍ଡି  ବେଶରେ ସଜାଇ ପୂ୍ଜାର୍ଚ୍ଚନା କରି କାରଭିତରେ ନିଜ କୋଳରେ ବସାଇ ନେଇଥିଲେ ତାରାକାନ୍ତି ।

ତାରାକାନ୍ତ କହନ୍ତି, ଗାଈକୁ ଆମେ ମା’ର ଆସନ ଦେଇଛୁ । ଗାଈକୁ ହତାଦର ନ କରି ତାର ଯତ୍ନ ନେବା ଦରକାର । ଗୋମାତାଙ୍କ ଶରୀରରେ ଦେବତା ଅବସ୍ଥାନ କରନ୍ତି । ତେଣୁ ବାହାଘରରେ ବାଛୁରୀ କଲେ ମୋତେ ସେମାନଙ୍କ ଆଶୀର୍ବାଦ ମିଳିବ । ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତୁ ବାଲି  ସେ ଆଶା ରଖିଛନ୍ତି  । ତାରାକାନ୍ତଙ୍କ ଏପରି ନିଆାରା ବାହାଘରକୁ ସାରା ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।

Comments are closed.