Latest Odisha News

ଭିନ୍ନ ପରମ୍ପରା: ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା

ମଣିପୁର: ମଣିପୁର ଏବେ ହିଂସାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ସେଠାର ଏକ ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନେଉଛନ୍ତି । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଏହି ରାଜ୍ୟ ଚର୍ଚ୍ଚାରେ ରହିଛି । ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛି । କିନ୍ତୁ ମଣିପୁର କେବଳ ଯେ, ହିଂସା ପାଇଁ ଚର୍ଚ୍ଚାରେ ରୁହେ ତାହାନୁହେଁ । ଏଠାରେ ଅନେକ ଅନନ୍ୟ ପରମ୍ପରା ଏବଂ ବିଶ୍ୱାସ ରହିଛି । ଯାହା ଅତ୍ୟନ୍ତ ଆକର୍ଷଣୀୟ ଏବଂ ଏଠାକାର ସମୃଦ୍ଧ ସମାଜକୁ ପ୍ରତିଫଳିତ କରେ । ଏପରି ଏକ ଭିନ୍ନ ପରମ୍ପରା ବିବାହ ସମୟରେ ଦେଖିବାକୁ ମିଳେ । ଏହି ରୀତିନୀତି ଅନୁଯାୟୀ ବରକନ୍ୟା ଜୀବନ୍ତ ମାଛକୁ ପାଣିକୁ ଫିଙ୍ଗିଥାନ୍ତି । ଏହି ରୀତିନୀତିର ନାମ ହେଉଛି ନାଗ-ଥାବା ।

ମଣିପୁରରେ ଯେତେବେଳେ ବିବାହ ମଣ୍ଡପରେ ରୀତିନୀତି ଚାଲିଥାଏ, ସେତେବେଳେ ବରଙ୍କ ପକ୍ଷରୁ ଦୁଇଜଣ ମହିଳା ଏବଂ କନ୍ୟାଙ୍କ ପକ୍ଷରୁ ଜଣେ ମହିଳା ଏହି ରୀତିନୀତି କରିଥାନ୍ତି । ବର ଏବଂ କନ୍ୟାଙ୍କ ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ତିନିଜଣ ମହିଳା ୫ରୁ ୧୦ ଜୀବନ୍ତ ମାଛ ପାଣିରୁ ଧରିକି ଆଣନ୍ତି । ବଡ଼ ଏବଂ ତଟକା ବାଛିବା ମହିଳାଙ୍କ କର୍ତ୍ତବ୍ୟ । ଚୟନ ପରେ, ଦୁଇଜଣ ମହିଳା ଗୋଟିଏ ମାଛ ଧରି ତୃତୀୟ ମହିଳାଙ୍କ ନେତୃତ୍ୱରେ ନିକଟ ଜଳ ଆଡ଼କୁ ଚାଲିଆସନ୍ତି । ଏହି ରୀତିନୀତି ଅନୁସାରେ ବରକନ୍ୟା ଏହି ଦୁଇଟି ମାଛକୁ ବିବାହ ସ୍ଥାନର ପୂର୍ବ କିମ୍ବା ଉତ୍ତର ଦିଗରେ ଥିବା ପୋଖରୀ ବା ହ୍ରଦରେ ଛାଡ଼ି ଦିଅନ୍ତି । ସେତେବେଳେ ତୃତୀୟ ମହିଳା ଜଣକ ଏକ ଲଣ୍ଠନ ଧରି ରାସ୍ତା ଦେଖାନ୍ତି । ଏପରି କରିବା ଦ୍ୱାରା ଏହା ନବ ଦମ୍ପତିଙ୍କ ବୈବାହିକ ଜୀବନକୁ ସୁଖପ୍ରଦ କରେ ବୋଲି ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ।

 

Leave A Reply

Your email address will not be published.