ଭୁବନେଶ୍ଵର: ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। କୃଷ୍ଣ ପକ୍ଷ ନବମୀ ତିଥୀରେ ତଥା ପ୍ରଥମାଷ୍ଟମୀ ପର ଦିନ ଏହି କାଞ୍ଜି ଅଁଳା ଓଷା କରାଯାଇଥାଏ। ଏହି ପୂଜା ଷଠି ଦେବୀଙ୍କ ପାଇଁ କରାଯାଏ। ପିଲାମାନଙ୍କ ସୁରକ୍ଷା ପାଇଁ ଷଠି ଦେବୀଙ୍କୁ ପୂଜା କରାଯାଏ। ଷଠି ଦେବୀଙ୍କର ଆଉ ଏକ ପୂଜା ଅଛି, ଯାହାକୁ ଷଠି ଓଷା କୁହାଯାଏ । ସନ୍ଧ୍ୟାରେ ମହିଳାମାନେ ଏକତ୍ରିତ ହୋଇ ଏହି ପୂଜା କରନ୍ତି ।
ଏହି ପୂଜାରେ ଚକୁଳି ପିଠା, କାଞ୍ଜି ଏବଂ ପିତା ଶୁଖୁଆ ପୂଜା କରାଯାଏ। ୭ଟି ପିତା ଶୁଖୁଆକୁ କଦଳୀ ପତ୍ରରେ ରଖାଯାଇ ବୋହୁ ଭଳି ସଜାଯାଏ। ଯାହାକୁ ଶୁଖୁଆ ବୋହୁ କୁହାଯାଏ। ହଳଦିଆ କପଡାର ପାଟ ସହ ସିନ୍ଦୁର କଳା ଲଗାଇ ଶୁଖୁଆକୁ ପୂଜା କରାଯିବା ସହ କାଞ୍ଜି ଭୋଗ କରାଯାଏ। ପୂଜାରେ ମା’ଙ୍କୁ ଅର୍ପଣ କରାଯାଉଥିବା ଖାଦ୍ଯ ଗୁଡ଼ିକୁ ପ୍ରସାଦ କୁହାଯାଏ। ଚାଉଳରୁ ବାହାର କରାଯାଇଥିବା ପାଣିରୁ ଏହି କାଞ୍ଜି ପ୍ରସ୍ତୁତ କରାଯାଏ। ପନିପରିବା ଯଥା ମୂଳା, ଭଣ୍ଡା, କୋବି, ବିନ୍ ଇତ୍ୟାଦି ପରିବା ସହ, ଡାଲି ମିଶାଇ ଚାଉଳ ପାଣିରେ ଫୁଟାଯାଏ । ଏହା ପରେ ପଞ୍ଚ ପୁଟଣରେ ବଘରା ଯାଇ କାଞ୍ଜି ପ୍ରସ୍ତୁତ କରାଯାଏ ।
ଏହା ପରେ ବାଲିରେ ଏକ ପୋଖରୀ ତିଆରି କରାଯାଏ । ସେଠାରେ ବାଳୁଙ୍ଗା ଧାନ, ସାରୁ, କୋଇଲେଖା(କୋଇଲିଖିଆ), ଦାସକେରେଣ୍ଡା ଆଦି ଗଛ ରଖାଯାଏ। ତା’ ନିକଟରେ, ସାତଟି ପିତାଶୁଖୁଆକୁ ହଳଦି ପାଣିରେ ଗାଧୋଇ, ସିନ୍ଦୂର ଓ କଜ୍ଜ୍ୱଳ ଲଗାଇ, ବୋହୂପରି ହଳଦି ବା ଲାଲ ରଙ୍ଗର କନା ପିନ୍ଧାଇ ରଖାଯାଏ। ଭାତ ଓ କାଞ୍ଜି ସହିତ, ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦି ପଡ଼ି ଛଅ ପ୍ରକାରର ତରକାରୀ, ଛଅପ୍ରକାରର ପିଠା ଆଦି ବାଢ଼ି ପୂଜା କରାଯାଏ।ଏହା ପରେ କାଞ୍ଜି ଅଁଳା ଓଷା ବହି ପଢାଯାଏ । ଏହା ପରେ ମହିଳାମାନେ ବନ୍ଦାପନା କରି ପୂଜା ଶେଷ କରନ୍ତି। ପୂଜା ସରିବା ପରେ ଶୁଖୁଆ ବୋହୂକୁ ପ୍ରଣାମ କରିଥାନ୍ତି ଘରର ମହିଳା। ସେଥିପାଇଁ କୁହାଯାଏ ଏହିଦିନ ଶାଶୁ ବୋହୂକୁ ପ୍ରଣାମ କରିଥାଆନ୍ତି।