Latest Odisha News

BREAKING NEWS

ମାଫିଆ ଅତିକ କବଜାରେ ଥିବା ଜମିରେ ଘର କରି ଗରିବଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୭୬ଟି ଫ୍ଲାଟର ଚାବି  ଦାବିଦାରମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସାଂସଦ ତଥା ମାଫିଆ ଡନ ସ୍ୱର୍ଗତ ଅତିକ ଅହମ୍ମଦ କବ୍ଜାରେ ଥିବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସେଠାରେ ଘର ତିଆରି କରି ଗରିବଙ୍କୁ ବାଣ୍ଟିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କହିଛନ୍ତି, ୨୦୧୭ ପୂର୍ବରୁ ଏହି ରାଜ୍ୟରେ ମାଫିଆମାନେ ଖାଲି ଗରିବଙ୍କ ଜମି ନୁହେଁ, ସରକାରଙ୍କ ଜମିକୁ ବି ହଡପ କରି ନେଉଥିଲେ । ହେଲେ ଆଜି ମାଫିଆଙ୍କ କବଜାରୁ ଏହି ଜମି ମୁକ୍ତ ହୋଇଛି ଏବଂ ଏଠାରେ ଗରିବଙ୍କ ପାଇଁ ଘର ତିଆରି କରାଯାଉଛି । ଏହି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ନିର୍ମାଣ କରାଯାଇଛି । ଜୁନ ୯ ତାରିଖରେ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଯାଇଛି ।

ଏହି ଗୃହକୁ ଗରିବ ଲୋକଙ୍କୁ ବାଣ୍ଟି ସାରିବା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହି ଘରକୁ ଯାଇଥିଲେ ଏବଂ ସେଠାରେ ଥିବା ପରିବାର ଓ ତାଙ୍କ ପିଲାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ‘ଆମେ ସେହି ଜମି ଉପରେ ଘର କରିଛୁ ଯାହା ଦିନେ ମାଫିଆଙ୍କ କବ୍ଜାରେ ଥିଲା । ଏହା ଏକ ବଡ ସଫଳତା ।’

ସୂଚନାଥାଉ କି, ଅତିକ ଅହମ୍ମଦ ୨୦୦୫ରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲଙ୍କ ହତ୍ୟା କରିଥିଲା । ଚଳିତ ବର୍ଷ ଫେବ୍ରୁଆରୀରେ ଏହି ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କର ମଧ୍ୟ ହତ୍ୟା କରିଥିଲା । ଅତୀକ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦ ଉଭୟ ଚଳିତ ବର୍ଷ ୧୫ ଏପ୍ରିଲ ରାତିରେ ଗୁଳିକାଣ୍ଡର ଶିକାର ହୋଇଥିଲେ ।

ଅତିକ କବ୍ଜାରୁ ମୁକ୍ତ କରିଥିବା ଜାଗାରେ ୪୧ ବର୍ଗମିଟରରେ  ନିର୍ମିତ ଫ୍ଲାଟକୁ ମାତ୍ର ୩.୫ ଲକ୍ଷ ଟଙ୍କାରେ ପ୍ରଦାନ କରାଯାଇଛି । ଏହି ଘରେ ୨ଟି ରୁମ, ଗୋଟିଏ ରୋଷଇଘର ଏବଂ ଶୌଚାଳୟ ରହିଛି ।

ସୂଚନାଥାଉ କି, ମୃତ ମାଫିଆ ଡନ ଅତିକ ଅହମ୍ମଦର ୨,୦୦୦ କୋଟିର ସମ୍ପତ୍ତି ଜବତ କରିଛନ୍ତି ୟୁନି ସରକାର । ଏଥିରେ ମିଳିଥିବା ଜମି ଉପରେ ଫ୍ଲାଟ ତିଆରି କରି ଗରିବ ଲୋକଙ୍କୁ ବାଣ୍ଟିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.