ୟୁଟ୍ୟୁବ ଦେଖି ନିଜ ସର୍ଜରୀ କଲେ ଯୁବକ; ୧୧ ଷ୍ଟିଚ୍ ପରେ ହସ୍ପିଟାଲରେ ଭର୍ତ୍ତି
ଲକ୍ଷ୍ନୌ: ୟୁଟ୍ୟୁବ ଦେଖି ନିଜ ସର୍ଜରୀ କଲେ ଯୁବକ; ୧୧ ଷ୍ଟିଚ୍ ପରେ ହସ୍ପିଟାଲରେ ଭର୍ତ୍ତି। ଉତ୍ତରପ୍ରଦେଶ ମଥୁରାରେ ଏଭଳି ଏକ ଘଟଣା ଘଟିଯାଇଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।
ୟୁଟ୍ୟୁବ୍ ଦେଖି ଏହି ଯୁବକ ଜଣକ ଅପରେସନ୍ ପାଇଁ ଏକ ଇଞ୍ଜେକ୍ସନ୍, ଆନାସ୍ଥେସିଆ, ବ୍ଲେଡ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣି ଆଣିଥିଲେ। ଅପରେସନ କରିବାକୁ ଯାଇ ପେଟରେ ୧୧ଟି ଷ୍ଟିଚ୍ ପକାଇଥିଲେ। ଏହା ପରେ ଆନାସ୍ଥେସିଆ ପ୍ରଭାବ କମିବା ପରେ ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲେ। ତାଙ୍କ କାନ୍ଦ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପରିବାର ସଦସ୍ୟମାନେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ୧୮ ବର୍ଷ ପୂର୍ବେ ୩୨ ବର୍ଷୀୟ ରାଜା ବାବୁଙ୍କର ଆପେଣ୍ଡିକ୍ସ ଅସ୍ତ୍ରୋପଚାର ହୋଇଥିଲା। ଗତ କିଛି ଦିନ ଧରି ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଅନେକ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ଯାହା ପରେ ସେ ନିଜେ ନିଜ ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ରାଜା ବାବୁଙ୍କୁ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି।