Latest Odisha News

ବଦଳାଇଥିଲେ ନାମ ଓ ଠିକଣା: ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ତାଲିମପ୍ରାପ୍ତ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପାଇଁ ବଢିଲା ଅଡୁଆ । ୟୁପିଏସସି (ୟୁନିଅନ ପବ୍ଲିକ ସର୍ଭିସ କମିଶନ) ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଛି ୟୁପିଏସସି। ପରୀକ୍ଷାରେ ଅଧିକ ସୁଯୋଗ ପାଇବା ପାଇଁ ପୂଜା ଜାଲିଆତି କରିଥିବା ଅଭିଯୋଗ ହୋଇଛି। ସେ ଏକ ଜାଲ୍ ପରିଚୟ ପତ୍ର ବ୍ୟବହାର କରି ସିଭିଲ ସର୍ଭିସ ପରୀକ୍ଷାରେ ହାଜର ହୋଇଥିବା ଅଭିଯୋଗ ହୋଇଛି। ଏହା ସହିତ ୟୁପିଏସସି ପୂଜାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।

୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କ ପ୍ରାର୍ଥିତ୍ବକୁ କାହିଁକି ବାତିଲ କରାନଯିବ ସେ ନେଇ ନୋଟିସରେ ଉତ୍ତର ଦେବାକୁ କୁହାଯାଇଛି । ଅନ୍ୟପଟେ ପୋଲିସ ପୂଜାଙ୍କ ମାଆଙ୍କୁ ମଧ୍ୟ ପୁରୁଣା ମାମଲାରେ ଗତକାଲି ଗିରଫ କରିଛି । ନିକଟରେ ପୂଜା ପୁଣେରେ ତାଲିମ ସମୟରେ ତାଙ୍କ କ୍ଷମତାର ଅପବ୍ୟବହାର ଏବଂ ସିଭିଲ ସର୍ଭିସରେ ଚୟନ ପାଇଁ ନକଲି ପ୍ରମାଣପତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଥିବା ବେଳେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ୟୁପିଏସସିର ଅଭିଯୋଗ ଅନୁସାରେ ପୂଜା ନକଲି ପରିଚୟ ଦେଇ ଏକାଧିକ ଥର ପରୀକ୍ଷା ଦେଇଛନ୍ତି ।

ସେ ନିଜ ନାଁ, ପିତାମାତାଙ୍କ ନାଁ, ଫଟୋ, ଦସ୍ତଖତ ଆଦିରେ ହେରଫେର କରିଥିବା ଅଭିଯୋଗ ହୋଇଛି । ତାଙ୍କୁ କାରଣ ଦର୍ଶାଅ ନୋଟିସରେ ଏହା ମଧ୍ୟ ଉତ୍ତର ରଖିବାକୁ ହେବ ଯେ ଭବିଷ୍ୟତରେ ଏହି ପରୀକ୍ଷା ଦେବା ଉପରେ କାହିଁକି ରୋକ ଲଗାଯିବ ନାହିଁ। ୟୁପିଏସସି ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜାରି କରାଯାଇ ପୂଜାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ନେଇ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୨୦୨୨ ବ୍ୟାଚର ଆଇଏଏସ ପୂଜା ଖେଡକର ଟ୍ରେନିଂ ସମୟରେ କ୍ୟାବିନ, କାର, କର୍ମଚାରୀ ଓ ଦାମୀ ଗାଡି ବ୍ୟବହାର କରିବାର ଅଭିଯୋଗ ହୋଇଥିଲା। ଯାହାପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଏହାପରେ ତାଙ୍କୁ ବଦଳି କରାଯାଇଥିଲା।

ଏନେଇ ଅଧିକ ଯାଞ୍ଚ ପରେ ତାଙ୍କର ସବୁ ଚାଲାକିର ପର୍ଦ୍ଦାଫାସ ହୋଇଥିଲା। ଯେଉଁଥିରେ ପୂଜା ଖେଡକର ପଛୁଆ ବର୍ଗ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି। ଏଥିପାଇଁ ପ୍ରମାଣପତ୍ରର ଯାଞ୍ଚ ପାଇଁ ତାଙ୍କୁ ୨୦୨୨ ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା। ମାତ୍ର ସେ କରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମ୍ସରେ ପହଞ୍ଚି ନଥିଲେ। ଏବେ ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯିବା ପରେ ସମସ୍ତ ସାର୍ଟିଫିକେଟ ଗୁଡ଼ିକ ନକଲି ବୋଲି ପ୍ରମାଣିତ ହୋଇଛି । ଯାହାପରେ ବଢିଛି ବିବାଦୀୟ ଆଇଏଏସ ପୂଜାଙ୍କ ଅଡୁଆ ।

Comments are closed.