Latest Odisha News

ବିରୋଧ ପରେ ‘ଲେଟେରାଲ୍ ନୋ’ ଏଂଟ୍ରି’ 

ନୂଆଦିଲ୍ଲୀ: ଲେଟେରାଲ ଏଂଟ୍ରି ପ୍ରସଙ୍ଗରେ ଡରିଗଲେ କି ଏନଡିଏ ସରକାର? ଭାରି ପଡିଲା କି ବିରୋଧୀ ଦଳର ବିରୋଧ ? ଜୋରଦାର ବିରୋଧ ଓ ଏନଡିଏ ସହଯୋଗୀଙ୍କ ଆପତ୍ତି ପରେ ପଛଘୁଂଚା ଦେଇଛନ୍ତି ମୋଦି ସରକାର । ଲେଟେରାଲ ଏଂଟ୍ରି ଜରିଆରେ ୪୫ଟି ଉଚ୍ଚ ସରକାରୀ ପଦ ପୂରଣ ପାଇଁ ଲୋକସେବା ଆୟୋଗ (ୟୁପିଏସସି)ର ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ ଲେଟେରାଲ ଏଂଟ୍ରି ବିଜ୍ଞାପନ ଉପରେ ରୋକ୍ ଲଗାଯାଇଛି । ଅଗଷ୍ଟ ୧୭ ତାରିଖରେ ଲେଟେରାଲ ଏଂଟ୍ରି ବିଜ୍ଞାପନ ପ୍ରକାଶ କରିଥିଲା ୟୁପିଏସସି।

ତାତିଥିଲେ ବିରୋଧୀ

ଲେଟେରାଲ ଏଂଟ୍ରିକୁ ସଂରକ୍ଷଣ ସହ ଯୋଡି ମୋଦି ସରକାରଙ୍କୁ ଘେରିଥିଲେ ବିରୋଧୀ । ଲୋକସଭା ନିର୍ବାଚନରେ ସମ୍ବିଧାନ ଓ ସଂରକ୍ଷଣ ପ୍ରସଙ୍ଗ ଉଠାଇ ଭଲ ଭୋଟ୍ ପାଇଥିବା ବିରୋଧୀ ଦଳ ଲେଟେରାଲ ଏଂଟ୍ରି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଲେଟେରାଲ ଏଂଟ୍ରି ଜରିଆରେ ନିଯୁକ୍ତି ଉଦ୍ୟମ କରି ମୋଦି ସରକାର ଏସସି, ଏସଟି ଓ ଓବିସିଙ୍କଠାରୁ ସଂରକ୍ଷଣ ଅଧିକାର ଛଡାଇ ନେଇଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ । ଅଖିଳେଶ ଯାଦବ, ଲାଲୁ ପ୍ରସାଦ ଯାଦବ ଓ ମାୟାବତୀ ମଧ୍ୟ ଜୋରଦାର ବିରୋଧ କରିଥିଲେ । ଏନଡିଏ ଭିତରୁ ବି ଉଠିଥିଲା ବିରୋଧର ସ୍ୱର । ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ ଓ ଜେଡିୟୁର କିଛି ନେତା ମଧ୍ୟ ଲେଟେରାଲ୍ ଏଂଟ୍ରି ନିଯୁକ୍ତି ଉଦ୍ୟମକୁ ଖୋଲାଖୋଲି ବିରୋଧ କରିଥିଲେ ।

ୟୁ ଟର୍ଣ୍ଣ ପରେ ସରକାରଙ୍କ ସଫେଇ

ଲେଟେରାଲ ଏଂଟ୍ରିର ବ୍ୟାପକ ପୁନଃମୂଲ୍ୟାଙ୍କନ ପାଇଁ ସରକାର ୟୁପିଏସସି ବିଜ୍ଞାପନ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକାଂଶ ଲେଟେରାଲ ଏଂଟ୍ରି ୨୦୧୪ ପୂର୍ବର ହୋଇଥିଲା । ତାହା ଆଡହକ୍ ଭିତ୍ତିରେ କରାଯାଇଥିଲା । ଲେଟେରାଲ ଏଂଟ୍ରି ସମାନତା ଓ ସାମାଜିକ ନ୍ୟାୟ ସିଦ୍ଧାନ୍ତ ଅନୁସାରେ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିବା ଦର୍ଶାଇ ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

କ’ଣ କହିଥିଲା ବିଜେପି

ବିରୋଧୀ ଦଳର ଜୋରଦାର ଟାର୍ଗେଟ ପରେ ଜବାବ ରଖିଥିଲା ବିଜେପି । କଂଗ୍ରେସ ସରକାର ବେଳୁ ହିଁ ଲେଟେରାଲ ଏଂଟ୍ରି ନିଯୁକ୍ତି ବ୍ୟବସ୍ଥା ରହିଆସିଛି । ଏହି ବ୍ୟବସ୍ଥା ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଯୋଜନା କମିଶନର ପୂର୍ବତନ ଅଧ୍ୟକ୍ଷ ମୋଂଟେକ ସିଂହ ଆଲୁୱାଲିଆ ଓ ସାମ୍ ପିଟ୍ରୋଦା ବିଭିନ୍ନ ଉଚ୍ଚ ସରକାରୀ ପଦପଦବୀରେ ଦୀର୍ଘ ଦିନ ଧରି ରହିଥିଲେ । କଂଗ୍ରେସର ପ୍ରତିକ୍ରିୟା ଦୋମୁହାଁ ନୀତିର ପରିଚୟ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

‘ଲେଟେରାଲ ଏଂଟ୍ରି ୟୁପିଏର ପରିକଳ୍ପନା’

ୟୁପିଏ ସରକାର ବେଳେ ହିଁ ଲେଟେରାଲ ଏଂଟ୍ରିର ପରିକଳ୍ପନା ହୋଇଥିଲା । ୨୦୦୫ରେ ବିରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରଶାସନିକ ସଂସ୍କାର କମିଶନ -ଏଆରସି ଲେଟେରାଲ୍ ଏଂଟ୍ରି ନିଯୁକ୍ତି ବ୍ୟବସ୍ଥା ନେଇ ସୁପାରିଶ କରିଥିଲେ । କିଛି ପଦ ପାଇଁ ସ୍ପେଶାଲାଇଜେସନ ଜରୁରୀ। ଆଉ ଏଥିପାଇଁ ଲେଟେରାଲ୍ ଏଂଟ୍ରି ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଲେଟେରାଲ ଏଂଟ୍ରି କ’ଣ?

ଲେଟେରାଲ ଏଂଟ୍ରି ମାଧ୍ୟମରେ ସେହି ଅଧିକାରୀମାନଙ୍କୁ ସରକାରୀ ସେବାରେ ଭର୍ତ୍ତିକରାଯାଇଥାଏ, ଯେଉଁମାନେ କି ପାରମ୍ପରିକ କ୍ୟାଡରରୁ ଆସିନଥାଆନ୍ତି । ନିଜ ନିଜ ପେଷାରେ ଦୀର୍ଘବର୍ଷର ଅଭିଜ୍ଞତା ହାସଲ କରିଥିବା ଲୋକଙ୍କୁ ଉଚ୍ଚ ପଦପଦବୀରେ ନିଯୁକ୍ତି ଦିଅନ୍ତି ସରକାର । ପାରମ୍ପରିକ କ୍ୟାଡରରୁ ଆସିଥିବା ଅଧିକାରୀଙ୍କ ବଦଳରେ ଇଣ୍ଡଷ୍ଟ୍ରି ଅଭିଜ୍ଞତା ଥିବା ଲୋକଙ୍କୁ ଲେଟେରାଲ ଏଂଟ୍ରି ଜରିଆରେ ନିଯୁକ୍ତି ଦିଅନ୍ତି ସରକାର । ଲେଟେରାଲ ଏଂଟ୍ରିରେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଆଉ ଏଥିପାଇଁ ବିରୋଧୀ ମେଂଟ ଲେଟେରାଲ ଏଂଟ୍ରି ନିଯୁକ୍ତିକୁ ଜୋରଦାର ବିରୋଧ କରିଥିଲେ।

 

Comments are closed.