Latest Odisha News

BREAKING NEWS

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ୟୁଏଲବି ଗୁଡ଼ିକୁ ସମ୍ଭାବ୍ୟ ଜଳାବଦ୍ଧ ଅଞ୍ଚଳରେ ଜଳ ନିଷ୍କାସନ ନିମନ୍ତେ ପାଣି ପମ୍ପକୁ ଆଗୁଆ ରଖିବା ସହ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ ଉପରେ ଗୁରୁତ୍ୱାରୋପ କରାଯାଉଛି।

ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସତର୍କ ରହିବା ଆବଶ୍ୟକ। ପ୍ରତିକୂଳ ପରିସ୍ଥିତି ସମୟରେ ସହରାଞ୍ଚଳର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୟୁଏଲବି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ବିଭାଗ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି। ଲାଇନ୍ ବିଭାଗ ସହିତ ସମନ୍ୱୟ, ଜରୁରୀକାଳୀନ ମାନବ ସମ୍ବଳର ଉପଲବ୍ଧତା ଏବଂ ଅତ୍ୟାବଶ୍ୟକ ଉପକରଣର ପ୍ରସ୍ତୁତି କାର୍ଯ୍ୟର ପ୍ରମୁଖ କ୍ଷେତ୍ର ଭାବରେ ଆଲୋକପାତ କରାଯାଇଛି।

ଅପରପକ୍ଷରେ ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

 

Comments are closed.