ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ତଥା ଲେଖକ ମୁନୱର ରାଣା(୭୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ଅପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁବାର ଭୋର ସମୟରେ ହଟାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଅପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ଝିଅ ସୁମାୟା ରାଣା ଗୁରୁବାର ଭୋର ୩.୩୦ରେ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ବାପା ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ବୋଲି ସୁମାୟା ସୂଚନା ଦେଇଛନ୍ତି।
ମୁନୱରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ଡାଏଲିସିସ୍ ସମୟରେ ତାଙ୍କ ପେଟର ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହାପରେ ଡାକ୍ତରମାନେ ସିଟି ସ୍କାନ କରିବା ପରେ ତାଙ୍କ ଗାଲ୍ ବ୍ଲାଡରରେ ସମସ୍ୟା ଥିବା ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ଅପରେସନ କରାଯାଇଛି। ସଂକ୍ରମଣ ନ ହେବାକୁ ଡାକ୍ତର ଦେଖାରେଖାରେ ମୋ ବାପାଙ୍କ ଚିକିତ୍ସା ଚାଲିଛି।” ପରବର୍ତ୍ତୀ ୭୨ ଘଣ୍ଟା ପାଇଁ ତାଙ୍କ ପାଇଁ ଘଡ଼ସନ୍ଧୀ ମୁହୂର୍ତ୍ତ ବୋଲି ଡାକ୍ତର କହିଥିବା ସୋମାୟା ସୂଚନା ଦେଇଛନ୍ତି।
ଭାରତର ପ୍ରତିଷ୍ଠିତ ଉର୍ଦ୍ଦୁ କବିଙ୍କ ମଧ୍ୟରେ ମୁନୱର ରାଣାଙ୍କର ବେଶ୍ ଲୋକପ୍ରିୟତା ରହିଛି। ସେ ଏକାଧିକ ଗଜଲ ଲେଖିଛନ୍ତି। ଉର୍ଦ୍ଦୁ ସାହିତ୍ୟରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ୨୦୧୪ରେ କେନ୍ଦ୍ର ସାହିତ୍ୟ ଆକାଡେମୀ ଆୱର୍ଡ ଦିଆଯାଇଥିଲେ ମଧ୍ୟ ଦେଶର ଅସହିଷ୍ଣୁତା ବଢ଼ୁଛି ବୋଲି କହି ସେ ଏହି ପୁରସ୍କାରକୁ ଅସ୍ୱୀକାର କରିଥିଲେ। ତା ପରଠାରୁ ସେ ବିଜେପି ସରକାରଙ୍କୁ ଅନେକ ଥର ସମାଲୋଚନା କରି ସରକାରୀ ରୋଷର ଶିକାର ବି ହୋଇଥିଲେ।
ଝିଅ ସୋମାୟା ସମାଜବାଦୀ ପାର୍ଟିର ଜଣେ ସଦସ୍ୟ ଥିବାରୁ ସେ ଅନେକ ଥର ରାଜନୈତିକ ବାୟନବାଜି ବି କରିଥାନ୍ତି। ସେହିପରି ତାଲିବାନକୁ ପ୍ରଶଂସା କରି ମହର୍ଷୀ ବାଲ୍ମିକୀଙ୍କ ସହ ତୁଳନା କରିବା ଓ ପ୍ରଫେଟ୍ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ପ୍ୟାରିସ୍ରେ ସାମୁଏଲ ପାଟିଙ୍କ ହତ୍ୟାକୁ ସମର୍ଥନ କରିବା ଆଦି ଘଟଣାରେ ସେ ବିବାଦ ଘେରକୁ ଚାଲି ଆସିଥିଲେ।
Comments are closed.