Latest Odisha News

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଫଳକରେ ଭାରତ ବିରୋଧୀ ନାରା ଲେଖିଲେ ଖଲିସ୍ତାନୀ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନୀ ସମର୍ଥକମାନେ ହାୱାର୍ଡରେ ଥିବା ବିଜୟ ଶେରୱାଲୀ ମନ୍ଦିରରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ଶବ୍ଦ ଲେଖିବା ସହ ଖଲିସ୍ତାନ ଜିନ୍ଦାବାଦ ଭଳି ସ୍ଲୋଗାନ ଲେଖିଥିବା ଦେଖିବାକୁ ମିଳିଛି।

ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ (HAF) ମଧ୍ୟ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲଗାତାର ଆକ୍ରମଣ ମଧ୍ୟରେ ମନ୍ଦିର ଏବଂ ଏହାର ଆଖପାଖ ଅଂଚଳରେ କ୍ୟାମେରା ଲଗାଇବାକୁ ଦାବି କରାଯାଇଛି । HAF କହିଛନ୍ତି ଯେ ସେମାନେ ମନ୍ଦିର ପ୍ରଶାସନ ସହ ଯୋଗାଯୋଗ ଚାଲିଛି ଏବଂ ଆଲାମେଡା ପୋଲିସ ବିଭାଗକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଦୁଇ ସପ୍ତାହ ପୂର୍ବରୁ ନ୍ୟୁୟର୍କରେ ମଧ୍ୟ ସ୍ୱାମୀନାରାୟଣ ମନ୍ଦିର ଭଙ୍ଗାଯାଇଥିଲା । ପ୍ରାୟ ଏକ ସପ୍ତାହ ପୂର୍ବରୁ ସେହି ଅଞ୍ଚଳରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଥିଲା। ମନ୍ଦିରର ସାଇନ୍ ବୋର୍ଡରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ପରେ ସାନ ଫ୍ରାନ୍ସିସ୍କୋରେ ଥିବା କନସୁଲେଟ୍ ଜେନେରାଲ୍ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି- ଆମେ ଏହି ପ୍ରସଙ୍ଗରେ ଆମେରିକୀୟ କର୍ତ୍ତୃପକ୍ଷଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛୁ।

ଏହାପୂର୍ବରୁ ଡିସେମ୍ବର ମାସରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ନ୍ୟୁୟର୍କରେ ଥିବା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ- ଭାରତ ବାହାରେ ଉଗ୍ରବାଦୀ ଏବଂ ବିଚ୍ଛିନ୍ନତାବାଦୀ ଶକ୍ତିମାନେ ସ୍ଥାନ ପାଇବା ଉଚିତ୍ ନୁହେଁ। ଆମେ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛୁ। ଆମେ ଆଶା କରୁଛୁ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖଲିସ୍ତାନୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ମନ୍ଦିର ୱାଶିଂଟନ୍ ଡିସିଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ।ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲା। ସେଥିରେ ଭୀଣ୍ଡରାୱାଲେଙ୍କୁ ମନ୍ଦିରର କାନ୍ଥରେ ଶହୀଦ ବୋଲି ବର୍ଣ୍ଣନା କରାଯାଇଥିଲା।

 

Comments are closed.