Latest Odisha News

BREAKING NEWS

ଋୁଷର ତେଲ କିଣିବନି ଆମେରିକା, ଭାରତ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ରକେଟ ବେଗରେ ଉପରମୁହାଁ ହୋଇଚାଲିଛି । ଏପରି ସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ଋଷର ତେଲ ଏବଂ ଗ୍ୟାସ ଉପରେ ରୋକ୍ ଲଗାଇଛି । ବ୍ରିଟେନ ମଧ୍ୟ ଏ ବାବଦରେ ଖୁବଶୀଘ୍ର ନିଷ୍ପତି ନେବ ବୋଲି କହିଛିା ଯାହାକି ଆଗାମୀ ଦିନରେ ଅଶୋଧିତ ତେଲର ଦାମ ଆହୁରି ବଢିବ ବୋଲି ଜଣାପଡିଛି । ତେଣୁ ଏପରି ସ୍ଥିତିରେ ଏବେ ସବୁଠି ଚର୍ଚ୍ଚା ବିଦେଶରେ ଚାଲିଥିବା ଲଢେଇର ପ୍ରଭାବ ଆମ ଦେଶରେ କେତେ ପଡିବ ।

BjdElectrycity

ଋଷିଆ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ତେଲ ଏବଂ ଗ୍ୟାସ ଉତ୍ପାଦନକାରୀ ଦେଶ । ଏହା ଉପରକୁ ରହିଛି ଆମେରିକା । ସେହିପରି ଚାଇନା, ଇସଲାମିକ ଦେଶ (ୟୁଏଇ, ସାଉଦିଆରବ) ଇତ୍ୟାଦି ଦେଶ ମଧ୍ୟ ତେଲ ଉତ୍ପାଦନ କରନ୍ତି। ଭାରତ ମୁଖ୍ୟତଃ ତେଲ ପାଇଁ ଇସଲାମିକ ଦେଶ ସହ ଚୁକ୍ତି କରିଛି । ହେଲେ କୋଭିଡ୍ ବେଳେ ଚାହିଦା ତୁଳନାରେ କମ୍ ଉତ୍ପାଦନ ହେଉଥିବାରୁ ଅଶୋଧିତ ତେଲ ବାଜର ହୁ ହୁ ହୋଇ ବଢିଥିଲା । ସେହିପରି ସେଠାରେ ପାରିଶ୍ରମିକ ବୃଦ୍ଧି ହେବା ପରେ ଅଶୋଧିତ ତେଲ ଦର ବଢିଛି । ତେଣୁ ନଭେମ୍ବର ମାସରେ ତେଲ ଦର ସେଞ୍ଚୁରୀ ମାରିଥିଲା । ଏବେ ଋଷ ବିରୋଧରେ ଗୋଟିଏ ପରେ ଗୋଟିଏ ଦେଶ ରୋକ୍ ଲଗାଉଥିବାରୁ ତେଲ ଦର ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହି ପ୍ରସଙ୍ଗରେ ଉତ୍କଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି, ଯଦି ଋଷ ଉପରେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିବନ୍ଧକ ଲଗାଇ ଚାଲିବେ । ତାହେଲେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୩୦୦ ଡଲାର ଛୁଇଁଯିବ । ଏପରି ସ୍ଥିତିରେ ଭାରତରେ ତେଲ ଦର୧୫୦ ଟଙ୍କା ଛୁଇଁପାରେ । ଏବେ ଅଶାଧିତ ତେଲ ଦର ୧୨୭.୯୮ ଡଲାର ରହିଛି । ଏବେ ତେଲ କମ୍ପାନୀମାନେ ଲିଟର ପିଛା ୧୨ ଟଙ୍କା କ୍ଷତି ସହୁଛନ୍ତି ବୋଲି ଦାବି କରିଛନ୍ତିା ସେହିପରି ଗ୍ୟାସ ଦର ମଧ୍ୟ ଆହୁରି ବଢିବ ବୋଲି ଜଣାପଡିଛି । ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ହେବା ପରେ ଅଶୋଧିତ ତେଲ ଦର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି ।

ତେବେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଋଷ କିଛି ଦେଶକୁ ନିଜ ଦେଶର ଶତ୍ରୁ ବୋଲି ବିବେଚନା କରିଛି । ଯେଉଁଥିରେ ଆମେରିକା, ବ୍ରିଟେନ ଆଦି ପ୍ରମୁଖ ଦେଶ ରହିଛି । ଋଷ ତେଲ ଉପରେ ଆମେରିକା ରୋକ୍ ଲଗାଇବା ପରେ ଭାରତକୁ ଅଶୋଧିତ ତେଲ ଶସ୍ତା ଦରରେ ଦେବାକୁ ଋଷ ରାଜି ଥିବା ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ନେତାଙ୍କ ଭୋଟ୍ ମାଗିବା କାମ ଶେଷ ହୋଇସାରିଛି । ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବ। ହେଲେ ନଭେମ୍ବର ମାସ ପାଖରୁ ଅଶୋଧିତ ତେଲ ଦର ଉପର ତଳ ହେଉଥିଲେ ବି ଦେଶରେ ତେଲ ଦର ସ୍ଥିର ରହିଛି । ନିର୍ବାଚନ ପ୍ରଭାବିତ ହେବ ଆଶଙ୍କା କରି କେନ୍ଦ୍ର ସରକାର ତେଲ ଦରକୁ ନିୟନ୍ତ୍ରଣରେ ରଖିଛନ୍ତି ବୋଲି କୁହାଯାଉଛି। ତେଣୁ ଫଳାଫଳ ପ୍ରକାଶ ପାଇବା ପରେ ତେଲ ଦର ହୁ ହୁ ହୋଇ ବଢିଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଥିଲେ।

Comments are closed, but trackbacks and pingbacks are open.