Latest Odisha News

BREAKING NEWS

ପାକିସ୍ତାନ ପାଇଁ ଆମେରିକାର ଦୋମୁହାଁ ନୀତି

ଓ୍ବାଶିଂଟନ: ଆମେରିକା ଗସ୍ତରେ ଅଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ବାଜଓ୍ବା । ଆମେରିକା ସେନା ମୁଖ୍ୟଙ୍କ ଅଷ୍ଟିନଙ୍କ ସହ ଆଲୋଚନା କରିବେ ବାଜଓ୍ବା । ଦୁଇ ଦେଶ ମଧ୍ୟରେ ସେନା ସହଯୋଗ ବୃଦ୍ଧି ପାଇଁ ଏହି ଆଲୋଚନା ହେବା କୁହାଯାଇଛି । ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ନିମନ୍ତ୍ରଣ ପରେ ବାଜଓ୍ବା ଆମେରିକା ଯାଇଛନ୍ତି । ଗତ ସପ୍ତାହରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ମଧ୍ୟ ନିମନ୍ତ୍ରଣ ପାଇଁ ଆମେରିକା ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଦିନେ ଆମେରିକା ପାକିସ୍ତାନକୁ ଆତଙ୍କି ଦେଶ ଘୋଷଣା କରିଥିଲା । ସେତେବେଳେ କିନ୍ତୁ ରାଷ୍ଟ୍ରପତି ଥିଲେ ଡୋନାଲ୍ଡ ଟ୍ରମ୍ପ । ଏବେ କିନ୍ତୁ ଋଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ପାକିସ୍ତାନକୁ ଏଫ-16 ଯୁଦ୍ଧ ବିମାନ ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଆଜି ପେଣ୍ଟାଗନରେ ବାଜଓ୍ବାଙ୍କୁ ଆମେରିକା ଯେପରି ସ୍ବାଗତ କରିଛି ତାହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚା ଲାଗି ରହିଛି । ଦିନେ ଅଲ କାଏଦା ଏବଂ ତାଲିବାନକୁ ପାକିସ୍ତାନ ସହାୟତା କରୁଥିବା ସ୍ପଷ୍ଟ ଭାବେ କହୁଥିଲା ଆମେରିକା । ଏବେ କିନ୍ତୁ ଆମେରିକାର ଦୋମୁହାଁ ନୀତି ଧରାପଡ଼ିଛି ।

ପାକିସ୍ତାନର ଟେରର ପଲିସି ପାଇଁ ଦିନେ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ଆର୍ଥିକ ସହାୟତା ରୋକିଥିଲେ ।  ଏବେ ଜୋ ବାଇଡେନ ପାକିସ୍ତାନକୁ ପୁଣି ସୈନ୍ୟ ସହାୟତା ପାଇଁ ପ୍ରଚୁର ଅର୍ଥ ଦେବାକୁ ଘୋଷଣା କରିଛନ୍ତି ।

ଆତଙ୍କବାଦୀଙ୍କୁ ସହାୟତା ପାଇଁ ଏଫଏଟିଏଫ ପାକିସ୍ତାନ ଉପରେ ଆର୍ଥିକ  କଟକଣା ଲାଗୁ କରିଥିବା ବେଳେ ଆମେରିକାର ଏପରି ସହାୟତା ପାକିସ୍ତାନ ପ୍ରତି ତାର ନରମ ଆଭିମୁଖ୍ୟକୁ ପ୍ରଦର୍ଶନ କରୁଛି ।  ଭାରତକୁ ଚିଡାଇବା ପାଇଁ ଆମେରିକା ଏପରି କରୁଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅବଶ୍ୟ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି ପାକିସ୍ତାନ ତା ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ନକରିବା ପାଇଁ ପ୍ରତିଶ୍ରୁତି ଦେଇଛି । ତେବେ ଏହା ଯେ ମିଥ୍ୟା ପ୍ରତିଶ୍ରୁତି ତାହା ବୁଝିବାରେ ବାକି ନାହିଁ ।

ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସମା ବିନ ଲାଡେନକୁ ପାକିସ୍ତାନ ଦିନେ ବର୍ଷ ବର୍ଷ ଧରି ସହାୟତା କରିଥିବା ପ୍ରମାଣ ରହିଛି । ହକାନି ନେଟଓ୍ବର୍କକୁ ମଧ୍ୟ ପାକିସ୍ତାନ ସହାୟତା କରିଥିବା ଆମେରିକା ପାଖରେ ପ୍ରମାଣ ରହିଛି । ତଥାପି ଆମେରିକା ପାକିସ୍ତାନକୁ ସହାୟତା କରିବାକୁ ଆଗେଇ ଆସିଛି । କାରଣ କୁହାଯାଉଛି ହେଉଛି ଋଷ –ୟୁକ୍ରେନ ଯୁଦ୍ଧ । ଭାରତ ଏହି ଯୁଦ୍ଧ ସମୟରେ ନିଉଟ୍ରାଲ ରହିଥିବା ବେଳେ ଆମେରିକା କିନ୍ତୁ ଭାରତର ପଦକ୍ଷେପକୁ ନାପସନ୍ଦ କରିଛି । ରୁଷିଆରୁ ଭାରତ ତୈଳ କିଣିବାକୁ ଆମେରିକା ସହଜରେ ଗ୍ରହଣ କରିପାରୁନାହିଁ । ଦିନେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକା ଉପରେ ସରକାର ହଟାଇବା ଅଭିଯୋଗ କରିଥିଲେ । ଆଉ ନୂଆ ସରକାର ଗଠନ ହେବାର ପରେ ଆମେରିକା ସହ ପାକିସ୍ତାନର ସଂପର୍କ ଆହୁରି ଦ୍ରୁଢ଼ ହୋଇଥିବା ଦେଖାଯାଉଛି ।  ଏହାରି ଭିତରେ ଆମେରିକା ପାକିସ୍ତାନ ସରକାର ଏବଂ ସେଠାକାର ସେନା ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚା ହେଉଛି ।

Comments are closed.