Latest Odisha News

ଭାରତର ଡାଲି ଟାରିଫକୁ ସହି ପାରୁନି ଆମେରିକା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଆଲୋଚନା ଡାଲି ପାଇଁ ବାଧାପ୍ରାପ୍ତ ହୋଇପାରେ। ତେବେ ଦୁଇ ଜଣ ଆମେରିକୀୟ ସାଂସଦ ଡାଲି ଉପରେ ୩୦ ପ୍ରତିଶତ ଆମଦାନୀ ଶୁଳ୍କ ପ୍ରତ୍ୟାହାର ପାଇଁ ଚାପ ପକାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ନୂଆଦିଲ୍ଲୀ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଯୋଗୁଁ ଆମେରିକୀୟ ଉତ୍ପାଦକମାନେ କ୍ଷତି ସହୁଥିବା ନେଇ ଏହି ଚିଠି ରେ ଲେଖାଯାଇଛି। ଆମେରିକା ଦ୍ଵାରା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ ଭାରତର ଏପରି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି କୁହାଯାଉଛି।

ମୋଣ୍ଟାନାର ରିପବ୍ଲିକାନ୍ ସେନେଟର ଷ୍ଟିଭ୍ ଡାଇନ୍ସ ଏବଂ ଉତ୍ତର ଡାକୋଟାର କେଭିନ୍ କ୍ରାମର୍ କହିଛନ୍ତି ଯେ ସେମାନଙ୍କ ରାଜ୍ୟ ମଟର ସମେତ ଡାଲି ଫସଲରେ ଶୀର୍ଷ ରେ ଥିବା ବେଳେ ଭାରତ ବିଶ୍ୱର ସର୍ବବୃହତ ଗ୍ରାହକ ଅଟେ। ଅର୍ଥାତ୍ ବିଶ୍ୱ ବ୍ୟବହାରର ପ୍ରାୟ ୨୭ ପ୍ରତିଶତ ଭାରତ ବ୍ୟବହାର କରିଥାଏ।

ଭାରତରେ ସର୍ବାଧିକ ମସୁର, ଚଣା, ଶୁଖିଲା ବିନ୍ସ ଏବଂ ମଟର ଇତ୍ୟାଦି ଡାଲି ବ୍ୟବହାର କରାଯାଇଥାଏ। ଭାରତ ଗତ ବର୍ଷ ଅକ୍ଟୋବର ୩୦ ତାରିଖରେ ହଳଦିଆ ମଟର ଉପରେ ୩୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲା, ଯାହାକି ୧ ନଭେମ୍ବର ୨୦୨୫ ରୁ ଲାଗୁ ହୋଇ ସାରିଛି। ଯେଉଁଥିପାଇଁ ଆମେରିକାର ଡାଲି ଉତ୍ପାଦକମାନେ ଭାରତକୁ ସେମାନଙ୍କର ଉତ୍ପାଦ ରପ୍ତାନି କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ କୁହାଯାଉଛି।

ତେଣୁ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଡାଲି ଶୁଳ୍କ ପ୍ରସଙ୍ଗରେ ଆଲୋଚନା କରିବା ଆମେରିକାର ଉତ୍ପାଦକ ଏବଂ ଭାରତୀୟ ଗ୍ରାହକ ଉଭୟଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଇନ ପ୍ରଣୋଦକମାନେ ଟ୍ରମ୍ପଙ୍କୁ ପରାମର୍ଶ ଦେଇଛନ୍ତି।ଏଥିସହିତ ପୂର୍ବ କାର୍ଯ୍ୟକାଳ ସମୟରେ ୨୦୨୦ ମସିହାରେ ଭାରତ ସହିତ ବାଣିଜ୍ୟ ଆଲୋଚନା ପୂର୍ବରୁ ଏହି ପ୍ରସଙ୍ଗ ଉଠାଯାଇଥିଲା ଓ ରାଷ୍ଟ୍ରପତି ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ପତ୍ର ପ୍ରଦାନ କରିଥିବା ନେଇ ମଧ୍ୟ କୁହାଯାଉଛି।

Comments are closed.