ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଏବଂ ଆମେରିକାରେ ସରକାର ବଦଳିବା ପରେ ପ୍ରତିରକ୍ଷା ନୀତି ମଧ୍ୟ ବଦଳିବାରେ ଲାଗିଛି । ଆମେରିକାର ବାଇଡେନ ସରକାର F-16 ଯୁଦ୍ଧ ବିମାନ ସମ୍ବନ୍ଧରେ ପାକିସ୍ତାନକୁ ଆର୍ଥିକ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଟ୍ରମ୍ପ ସରକାର ଏହା ଉପରେ ରୋକ ଲଗାଇଥିଲେ । ବାଇଡେନ ସରକାର 450 ମିଲିୟନ ଡଲାର ସହାୟତା ପାକିସ୍ତାନକୁ ଯୋଗାଇଦେବାକୁ ଅନୁମୋଦନ କରିଛି।
ଆମେରିକାର ଏହି ପଦକ୍ଷେପକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । କୁହାଯାଉଛି ଯେ ଆମେରିକା ବର୍ତ୍ତମାନ ସମୟରେ ପାକିସ୍ତାନକୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ସମାନ କରିବାକୁ ସାହାଯ୍ୟ କରୁଛି। ଋଷ ପ୍ରତି ଭାରତର ନରମ ଆଭିମୁଖ୍ୟ ପାଇଁ ଆମେରିକା ଏପରି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ତେବେ ଭାରତର ଚିନ୍ତା ପ୍ରତି ଆମେରିକା ଭିନ୍ନ ଉତ୍ତର ଦେଇଛି । ବାଇଡେନ ପ୍ରଶାସନ କହିଛି ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପ କୁ ରୋକିବା ପାଇଁ ଆମେରିକା ଏହି ଆର୍ଥିକ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି । ଇମ୍ରାନଙ୍କ ସରକାର ପାକିସ୍ତାନରୁ ହଟିବା ପରେ ଏବେ ପାକିସ୍ତାନର ଶେହବାଜ ସରିଫଙ୍କ ସରକାର ସହ ଆମେରିକାର ସଂପର୍କ ଭଲ ଅବସ୍ଥାକୁ ଆସିଛି । ଏଭଳି ସମୟରେ ଆମେରିକା ପ୍ରଚୁର ପରିମାଣର ଆର୍ଥିକ ସାହାଯ୍ୟ ପାକିସ୍ତାନକୁ ଦେଉଥିବାରୁ ଏହି ଅର୍ଥ ଭାରତରେ ଆତଙ୍କବାଦ ବୃଦ୍ଧି ପାଇଁ ପାକିସ୍ତାନ ବ୍ୟବହାର କରିବାର ଯଥେଷ୍ଟ ସଂଭାବନା ଥିବା ଭାରତ ଆଶଙ୍କା କରୁଛି ।
Comments are closed.