ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପା ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ଯୁବରାଜ ସିଂ କ୍ୟାରିୟର ଶୀଘ୍ର ଶେଷ ହେବା ନେଇ ପରୋକ୍ଷରେ ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି । କ୍ୟାନ୍ସରରୁ ସୁସ୍ଥ ହେବା ପରେ ଯୁବରାଜ ଫିଟନେସ ନେଇ କିଛି ହାଲକା ମନୋଭାବ ପୋଷଣ କରିବା ପାଇଁ ଅନୁରୋଧ କରିଥିଲେ । ସେ ସମୟର ଅଧିନାୟକ କୋହଲି କିନ୍ତୁ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ବୋଲି ଉଥପ୍ପା କହିଛନ୍ତି । ଭାରତ ୨୦୧୧ ଦିନିକିଆ ବିଶ୍ୱକପ ଜିତିବା ପଛରେ ଯୁବରାଜଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ପରେ ଆମେରିକାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏହା ପରେ ଯୁବରାଜ ଭାରତୀୟ ଦଳରେ ସ୍ଥାନ ପାଇବା ସହ ଇଂଲଣ୍ଡ ବିପକ୍ଷରେ ଶତକ ମଧ୍ୟ ହାସଲ କରିଥିଲେ ।
୨୦୧୭ରେ ଭଲ ପ୍ରଦର୍ଶନ ସତ୍ୱେ ଯୁବରାଜଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ୨୦୧୯ରେ ଯୁବରାଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯୁବରାଜଙ୍କ ଯୋଗଦାନକୁ ଦେଖି ତାଙ୍କୁ ପୂନର୍ବାର ସୁଯୋଗ ମିଳିବା ଉଚିତ ଥିଲା ବୋଲି ଉଥପ୍ପା କହିଛନ୍ତି । ଏହି ଅବସରରେ କୋହଲିଙ୍କ ନେତୃତ୍ୱ ସମ୍ପର୍କରେ ଉଥପ୍ପା ମତ ଦେଇଥିଲେ । ସେ କହିଥିଲେ, ମୁଁ ତାଙ୍କ ନେତୃତ୍ୱରେ ବେଶୀ ମ୍ୟାଚ ଖେଳି ନାହିଁ । ଜଣେ ଅଧିନାୟକ ଭାବେ କୋହଲି ତାଙ୍କ ଯୋଜନା ଅନୁସାରେ ଖେଳିବାକୁ ବାଧ୍ୟ କରିଥାନ୍ତି ।