Latest Odisha News

BREAKING NEWS

ମାଲେସିଆରେ ପ୍ରବାସୀ ଓଡ଼ିଆ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ମାଲେସିଆ: ବିଦେଶରେ ପାଳନ ହେଲା ଉତ୍କଳ ଦିବସ । ଓଡ଼ିଆ ଆସୋସିଏସନର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା କୁଆଲାଲୁମପୁରର ଭାରତୀୟ ସାଂସ୍କୃତିକ ସେଣ୍ଟର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଲେସିଆ ସ୍ଥିତ ଭାରତୀୟ ଦୂତାବାସର କାଉନ୍ସେଲର ଶ୍ରୀମତୀ ଅମ୍ରିତା ଦାସ ଯୋଗ ଦେଇଥିଲେ ଏବଂ ଓଡିଶାର ଇତିହାସ , ଗର୍ବ ଏବଂ ଗୌରବ ବିଷୟରେ ଆଲୋକପାତ କରିଥିଲେ।

ସଭା ଆରମ୍ଭରେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ମାଲେସିଆ ଓଡ଼ିଆ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଏକାମ୍ର ମହାପାତ୍ର ମୁଖ୍ୟ ଅତିଥିଙ୍କୁ ଅଭିବାଦନ କରିବା ସହିତ ପ୍ରବାସୀ ଓଡ଼ିଆ ମାନେ ଦେଶ ବାହାରେ ରହି ମଧ୍ୟ କିଭଳି ରାଜ୍ୟର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚୟ ଦେଇପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ପ୍ରବାସୀ ଶିଶୁ କଳାକାର ମାନେ ଓଡ଼ିଆ ସଂଗୀତ ଗାନ ଏବଂ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କର ମନୋରଞ୍ଜନ କରିଥିଲେ।

ଏତଦ ବ୍ୟତୀତ ଉତ୍କଳ ଦିବସ ଉପଲକ୍ଷେ ଭାରତୀୟ ସାଂସ୍କୃତିକ କଳା କେନ୍ଦ୍ର ଠାରେ ଓଡିଶା ଆର୍ଟ୍ସ ଏବଂ କ୍ରାଫ୍ଟ ର ଏକ ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଯାହାକୁ ଅନ୍ୟ ରାଜ୍ୟର ପ୍ରବାସୀ ଭାରତୀୟ ମାନେ ମଧ୍ୟ ଅନେକ ପ୍ରଶଂସା କରିଥିଲେ। ମାଲେସିଆ ଓଡ଼ିଆ ଆସୋସିଏସନର ସମ୍ପାଦକ ବସନ୍ତ କୁମାର ପ୍ରଧାନ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଉଲେଖଯୋଗ୍ୟ, ଗତ ପାଞ୍ଚ ବର୍ଷ ଧରି ମାଲେସିଆ ଓଡ଼ିଆ ଆସୋସିଏସନର ପ୍ରତେକ ଓଡ଼ିଆ ପର୍ବ ତଥା ରଜ , ସାବିତ୍ରୀ ପୂଜା , ଦୀପାବଳି, ଉତ୍କଳ ଦିବସ ପାଳନ କରିଆସୁଛି। ଏହାଦ୍ୱାରା ପ୍ରବାସୀ ମାନେ ମଧ୍ୟ ଓଡ଼ିଆ ସଂକୃତି ସହିତ ନିଜକୁ ସଂଯୋଗ କରିପାରୁଛନ୍ତି । ଭାରତୀୟ ଦୂତାବାସର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନ ଅଗ୍ରଣୀ ଭୂମିକା ନେଇ ମାଲେସିଆ ର ଏକ ପ୍ରମୁଖ ପ୍ରବାସୀ ସାଂସ୍କୃତିକ ଅନୁଷ୍ଠାନ ଭାବରେ ନିଜକୁ ପ୍ରତିପାଦନ କରିପାରିଛି।

Comments are closed.