ମସକଟ : ଓମାନରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ୮୫ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓମାନ ରାଜଧାନୀ ମସକଟ ସ୍ଥିତ ଇଣ୍ଡିଆନ ସୋସିଆଲ କ୍ଳବ(ଆଇ.ଏସ୍.ସି) ର ଓଡ଼ିଆ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଭରଚୁଆଲ ଉତ୍ସବରେ ବିଭିନ୍ନ ଓଡ଼ିଆ ସମାଜର କର୍ମକର୍ତ୍ତା , ପ୍ରବାସୀ ଓଡ଼ିଆ ଏବଂ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅବସ୍ଥାପିତ ଥିବା ଓଡ଼ିଆ ପ୍ରେମୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଆଧ୍ୟାତ୍ମିକ ଗୁରୁ ଡ .ଚନ୍ଦ୍ରଭାନୁ ଶତପଥୀ ଯୋଗ ଦେଇ କରୋନା ବିରୁଦ୍ଧରେ ବିଶ୍ୱର ସମଗ୍ର ମାନବ ଜାତି ଏକଜୁଟ ହୋଇ ସଂଘର୍ଷ କରିବାକୁ କହିଥିଲେ। ଓମାନ ଚେମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ଇଞ୍ଜିନିୟର ସରଧା ବିନ୍ ଜୁମ୍ମା ଆଲ ସାସଲହ ଓମାନ ଓ ଭାରତ ମଧ୍ୟରେ ଥିବା ପାରମ୍ପରିକ ଓ ଅର୍ଥଜନୈତିକ ସମ୍ପର୍କ ବହୁ ପୁରୁଣା ଏବଂ ଓମାନ ଓ ଓଡ଼ିଶା ମଧ୍ୟରେ ବହୁ ସାମଞ୍ଜସ୍ୟ ଅଛି ବୋଲି ମତ ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଓମାନଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁନୁ ମହାୱାର, ଓଡ଼ିଆ ଶାଖାର ସଦସ୍ୟମାନେ ବର୍ତ୍ତମାନର ଅଭାବନୀୟ ପରିସ୍ଥିତିରେ ଶାନ୍ତସିଷ୍ଟ, ଧର୍ଯ୍ୟବାନ ଓ ଆଶାବାଦୀ ରହି ସମାଜରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ରାଜ୍ୟ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ ବନିବା ସାଙ୍ଗକୁ ଲଗାତର ଭାବେ ୫ବର୍ଷ ଧରି କୃଷି ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇ ଆସୁଥିବା ବିଷୟରେ ସୂଚନା ଦେଇଥିଲ। ଏବେକାର ସଙ୍କଟ କାଳରେ ଅନ୍ୟାନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ପଠାଇବା ସହିତ କରୋନା ରୋଗୀମାନଙ୍କୁ ମାଗଣାରେ ଚିକତ୍ସା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଭାରତ ସରକାରଙ୍କର ଅର୍ଥ ବିଭାଗର ପୂର୍ବତନ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଦାଶ, ଓଡ଼ିଶା ଏକ ପ୍ରଦେଶ ନୁହେଁ ବରଂ ଭରୂର ମାନବିକତାର ଏକ ଜୀବନଶୈଳୀ ବୋଲି ମତ ପ୍ରକାଶ କରିଥିଲେ ।
ଓମାନରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ସାଧବପୁଅର ଆଖ୍ୟା ଦେଇ ବର୍ତ୍ତମାନର ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜର ମାତୃଭୁମିର ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଶ୍ରୀ ଦାଶ ନିବେଦନ କରିଥିଲେ ।
ଇଣ୍ଡିଆନ୍ ସୋସିଆଲ କ୍ଲବର ଅଧ୍ୟକ୍ଷ ଡଃ ସତୀଶ ନାମ୍ବିଆର ଓଡ଼ିଆ ଶାଖାର କର୍ମକର୍ତ୍ତା ମାନଙ୍କ ଦ୍ୱାରା ମହାମାରୀ ସମୟରେ ଚାଲିଥିବା ସମାଜସେବା ଅଭିଯାନର ଭୁୟସୀ ପ୍ରଶଂସା କରିଥିଲେ । ଓଡ଼ିଆ ଶାଖାର ଆବାହକ ମନୋଜ ମହାପାତ୍ର, ସମଗ୍ର ଦୁନିଆରେ ଓଡ଼ିଆ ମାନେ ସେମାନଙ୍କର ସରଳତା, ଓ ବିଶ୍ୱାସସନୀୟତା ପାଇଁ ସୁନାମ ଓ ସ୍ୱୀକୃତି ଅର୍ଜନ କରୁଛନ୍ତି ବୋଲି କହିଥିଲେ । ମହାମାରୀ ଆରମ୍ଭ ହେବା ସମୟରେ ଓଡ଼ିଆ ଶାଖା, ଭାରତୀୟ ଦୂତାବାସର ସହଯୋଗରେ ଅଟକି ଥିବା ୧୨୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇପାରିଥିଲା ବୋଲି ସେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଲାଇଭ ଷ୍ଟ୍ରୀମିଙ୍ଗ ମାଧ୍ୟମରେ ଶଙ୍ଖନାଦ, ଓଡ଼ିଆ ଶାଖାର ସଦସ୍ୟ ମାନଙ୍କର ଓଡ଼ିଶା ଭିତ୍ତିକ ସଂଗୀତ ଆଧାରରେ ଅଭିନୟ, କ୍ଷୁଦ୍ର ପାରିବାରିକ ନାଟିକା, ଲକ୍ଡାଉନ୍ ଉପରେ ନାଟକ, ପୁରୁଷ ନୃତ୍ୟ, ମହିଳାଙ୍କର ସମୂହ ନୃତ୍ୟ, କୃପାଞ୍ଜଳି ଦାସ ପଟ୍ଟନାୟକଙ୍କର ଗ୍ରୁପ୍ ଦ୍ୱାରା ଆହେ ନୀଳଶୈଳ ଗୀତ ଉପରେ ଓଡ଼ିଶୀ ନୃତ୍ୟ, ସୋହରର କଳାକାର ମାନଙ୍କର ନୃତ୍ୟ ଓ ଗୀତ, ମୋନାଲିସା ଦାସଙ୍କ ନିର୍ଦ୍ଦେଶିତ ପିଲାଙ୍କ ନାଚ, ଓଡ଼ିଶା ପର୍ଯ୍ୟଟନ ଉପରେ ଭିଡିଓ, ବରଗଡ଼ର ଧେମ୍ସା ଆଦିବାସୀ ନୃତ୍ୟ, କଳିଙ୍ଗ ରାଇଜିଂ ଷ୍ଟାର୍ସ ଦ୍ୱାରା ଶିଶୁ ନୃତ୍ୟ, ରାହୁଲ ଇଙ୍ଗ୍ଲେଙ୍କ ଦ୍ୱାରା ବ୍ୟଙ୍ଗ ଉପାଖ୍ୟାନ, ସନ୍ତୋଷ ରାଉତ, କ୍ରିତିକା ଗମ୍ଭୀର ଏବଂ ନୀରଜ ବକ୍ସିଙ୍କ ଦ୍ୱାରା ସୁମଧୂର ସଂଗୀତ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କରଣଜିତ ସିଂହ, ଡଃ ହର ପ୍ରସନ୍ନ ଦାସ, କୁକୁ ଦାସ, କିଶୋର ଦ୍ୱିବେଦୀ, ଅମୀୟ ମିଶ୍ର , ଅରୁଣ କୁମାର ପ୍ରହରାଜ ଏବଂ ପ୍ରିତୀଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ଆଇ.ଏସ୍.ସି, ଓଡ଼ିଆ ଶାଖାର ଆବାହକ ମନୋଜ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ଏହି ମହୋତ୍ସବକୁ ଆୟୋଜନ ଓ ପରିଚାଳନା କରିବାରେ ଓଡ଼ିଆ ଶାଖାର ବରିଷ୍ଠ ସଦସ୍ୟ ସଞ୍ଜୟ ଜେଠୀ, କିଶୋର ଦାଶ, ହିମାଂଶୁ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ରାଜ୍ ପାତ୍ର ଏବଂ ବିଶ୍ୱଜିତ ଦାଶ ପ୍ରମୁଖ ସାହାଯ୍ୟ କରିଥିଲେ ।
Comments are closed.