Latest Odisha News

BREAKING NEWS

ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଉତ୍ତରପ୍ରଦେଶ : ବିଶ୍ବ ଜନସଂଖ୍ୟା ଦିବସରେ ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଉତ୍ତରପ୍ରଦେଶରେ ଲାଗୁ ହୋଇପାରେ ପ୍ରସ୍ତାବିତ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ । ନିୟନ୍ତ୍ରଣ ବିଲର ଡ୍ରାଫ୍ଟ ଅନୁଯାୟୀ, ଦୁଇରୁ ଅଧିକ ସନ୍ତାନ ଥିଲେ ଜଣେ ସ୍ଥାନୀୟ ନିର୍ବାଚନ ଲଢିପାରିବ ନାହିଁ । ସେହିଭଳି ସରକାରୀ ଚାକିରି ପାଇଁ ଆବେଦନ ଉପରେ ମଧ୍ୟ ରୋକ୍ ଲାଗିଛି । ଯଦି ସରକାରୀ ଚାକିରି କରୁଛନ୍ତି ତେବେ ପଦୋନ୍ନତି ମିଳିବନି । ଏହାସହ ସରକାର ଯୋଗାଉଥିବା ସବସିଡିରୁ ମଧ୍ୟ ବ୍ୟକ୍ତି ବଞ୍ଚିତ ସଂପୃକ୍ତ ବ୍ୟକ୍ତି ବିଶେଷ ।

ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ କହିଛି ଯେ, ଉତ୍ତରପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ବିଲ୍, ୨୦୨୧ ଚିଠା ବିଲର ଏହା ଏକ ଅଂଶ । ରାଜ୍ୟ ଆଇନ ଆୟୋଗ ଏହି ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିଛି । ଏ ସମ୍ପର୍କରେ ମତାମତ ଦେବା ପାଇଁ ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ଜୁଲାଇ ୧୯ ଯାଏଁ ସମୟ ଦିଆଯାଇଛି । ଏହି ଚିଠା ବିଲରେ ଦୁଇ ଶିଶୁ ନୀତି ଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ସ୍ବରୂପ ପୂର୍ଣ୍ଣ ବେତନ ସହ ୧୨ ମାସର ପିତୃତ୍ୱ ଛୁଟି ଏବଂ ଭତ୍ତାର ସୁବିଧା ରହିଛି । ଜାତୀୟ ପେନସନ ଯୋଜନା ଅଧୀନରେ ନିଯୁକ୍ତିଦାତା ପାଣ୍ଠିରେ ତିନି ପ୍ରତିଶତ ବୃଦ୍ଧି କରାଯିବ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଏହି ଚିଠା ବିଲରେ ଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି କେନ୍ଦ୍ର ପ୍ରତିଷ୍ଠା କରାଯିବ । ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏନଜିଓ ଗର୍ଭ ନିରୋଧକ ବଟିକା, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ମାଧ୍ୟମରେ ପରିବାର ନିୟୋଜନ ବିଷୟରେ ସଚେତନତା ସୃଷ୍ଟି କରିବେ । ଗର୍ଭଧାରଣ, ପ୍ରସବ, ଜନ୍ମ ଏବଂ ମୃତ୍ୟୁର ବାଧ୍ୟତାମୂଳକ ପଞ୍ଜିକରଣ ନିଶ୍ଚିତ କରାଯିବ । ଏହା ଛଡ଼ା ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଜନସଂଖ୍ୟା ନିୟନ୍ତ୍ରଣ ସହ ଜଡିତ ଏକ ବାଧ୍ୟତାମୂଳକ ବିଷୟ ରହିବ ବୋଲି ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।

Comments are closed.