Latest Odisha News

BREAKING NEWS

ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ

ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ ଅନୁଧ୍ୟାନ କରାଯାଇଛି। ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି, ଭୁବନେଶ୍ୱର ଉତ୍ତରା ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଖବର ପାଇ ମୁଁ ଦୁଃଖିତ। ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲି। ଏହିକ୍ରମରେ, ଭୁବନେଶ୍ୱର RTO-1 ଓ ପୁରୀ RTOର ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାରେ ଉପସ୍ଥିତ ରହି ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଛନ୍ତି। ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି ଏବଂ ଦୁର୍ଘଟଣାର କାରଣ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଭୁବନେଶ୍ଵର ଉପକଣ୍ଠ ଉତ୍ତରାରେ ଏକ ଟୁରିଷ୍ଟ ବସ ଓଲଟିବାରୁ ଜଣଙ୍କ ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତାହତମାନେ ବାଂଲାଦେଶ ନାଗରିକ ହୋଇଥିବା ବେଳେ ବସରେ ପ୍ରାୟ ୭୦ ଜଣ ଯାତ୍ରୀ ରହିଥିଲେ । ସମସ୍ତ ଯାତ୍ରୀ କାଶୀ ବିଶ୍ବନାଥ ଦର୍ଶନ ସାରି ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।

Comments are closed.